କୋ-ଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ 'କୋଭୋଭାକ୍ସ' ବୁଷ୍ଟର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଅନୁମତି | News Room Odisha

କୋ-ଓ୍ବିନ୍ ପୋର୍ଟାଲରେ ଉପଲବ୍ଧ ହେବ ‘କୋଭୋଭାକ୍ସ’ ବୁଷ୍ଟର, କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଦେଲେ ଅନୁମତି

ନୂଆଦିଲ୍ଲୀ: ଦେଶର ବଢ଼ୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ସୋମବାର ସେରମ୍ ଇନଷ୍ଟିଚ୍ୟୁଟର ‘କୋଭୋଭାକ୍ସ’ ଟିକାକୁ ବୁଷ୍ଟର୍ ଡୋଜ୍ ଭାବେ କୋ-ଓ୍ବିନ୍ ପୋର୍ଟାଲରେ ଉପଲବ୍ଧ କରାଇବା ପାଇଁ ଅନୁମତି ଦେଇଛନ୍ତି ।

କୋଭୋଭାକ୍ସ କିଛି ଦିନ ମଧ୍ୟରେ କୋ-ଓ୍ବିନ୍ ପୋର୍ଟାଲରେ ଡୋଜ୍ ପିଛା ୨୨୫ ଟଙ୍କା ଏବଂ ପ୍ରଯୁଜ୍ୟ ଜିଏସଟି ସହ ଉପଲବ୍ଧ ହେବ | ସୂତ୍ରରୁ ପ୍ରକାଶ ଯେ ମାର୍ଚ୍ଚ ୨୭ରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସ୍ଆଇଆଇ) ର ନିର୍ଦ୍ଦେଶକ ପ୍ରକାଶ କୁମାର ସିଂହ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟକୁ ଏକ ଚିଠି ଲେଖି ‘କୋଭୋଭାକ୍ସ’କୁ ହିଟେରୋଲୋଗସ୍ ବୁଷ୍ଟର ଡୋଜ୍ ଭାବେ କୋ-ଓ୍ବିନ୍ ପୋର୍ଟାଲରେ ସାମିଲ କରିବାକୁ ଅନୁରୋଧ କରିଥିଲେ ।

ଏହି ଟିକାକୁ ହିଟେରୋଲୋଗସ୍ ବୁଷ୍ଟର ଡୋଜ୍ ଭାବେ ବ୍ୟବହାର କରାଯାଇ ପାରିବ । ଅର୍ଥାତ୍ ଆପଣ ପୂର୍ବରୁ ‘କୋଭିଶିଲ୍ଡ’ ଅବା ‘କୋଭାକ୍ସିନ’ର ଦୁଇଟି ଟିକା ନେଇଥିଲେ ମଧ୍ୟ ‘କୋଭୋଭାକ୍ସ’କୁ ବୁଷ୍ଟର ଡୋଜ୍ ଭାବେ ନେଇପାରିବେ।

ଏହା ପୂର୍ବରୁ କେନ୍ଦ୍ରୀୟ ଡ୍ରଗ୍ ନିୟାମକ ପ୍ରାଧିକରଣର ଏକ ବିଶେଷଜ୍ଞ ପ୍ୟାନେଲ୍ ବଜାରରେ ‘କୋଭୋଭାକ୍ସ’ ଲଞ୍ଚ କରିବାକୁ ସୁପାରିସ କରିଥିଲା।

ଭାରତୀୟ ଡ୍ରଗ୍ସ ନିୟନ୍ତ୍ରକ (ଡିସିଜିଆଇ) ଜାନୁଆରୀ ୧୬ରେ ବୟସ୍କମାନଙ୍କ ପାଇଁ ଏକ ହିଟେରୋଲୋଗସ୍ ବୁଷ୍ଟର୍ ଡୋଜ୍ ଭାବେ ‘କୋଭୋଭାକ୍ସ’କୁ ବଜାରକୁ ଛାଡ଼ିବା ପାଇଁ ଅନୁମୋଦନ କରିଥିଲା ​​| ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଡିସିଜିଆଇ ଏହି ନିଷ୍ପତ୍ତି ନେଇଥିଲା | ଏହାଛଡ଼ା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚ୍ଓ) ଏବଂ ଆମେରିକାର ଖାଦ୍ୟ ଏବଂ ଔଷଧ ପ୍ରଶାସନ ମଧ୍ୟ ‘କୋଭୋଭାକ୍ସ’କୁ ମାନ୍ୟତା ପ୍ରଦାନ କରିଥିଲେ |