କେରଳରେ ୧୮ ଦିନ, ୟୁପିରେ ମାତ୍ର ଦୁଇ ଦିନ: କଂଗ୍ରେସର 'ଭାରତ ଯୋଡୋ' ଯାତ୍ରା ନେଇ ସିପିଆଇର କଟାକ୍ଷ | News Room Odisha

କେରଳରେ ୧୮ ଦିନ, ୟୁପିରେ ମାତ୍ର ଦୁଇ ଦିନ: କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ନେଇ ସିପିଆଇର କଟାକ୍ଷ

ନୂଆଦିଲ୍ଲୀ: ‘ଭାରତ ଯୋଡୋ’ ଯାତ୍ରା ଉପରେ କଟାକ୍ଷ କରି ସିପିଆଇ(ଏମ୍) କଂଗ୍ରେସକୁ ଟାର୍ଗେଟ କରିଛି । କଂଗ୍ରେସକୁ ସମାଲୋଚନା କରି ସିପିଆଇ-ଏମ୍ କହିଛି ଯେ ‘ଭାରତ ଯୋଡୋ’ ଯାତ୍ରାରେ ବାମପନ୍ଥୀ ଦଳ ସରକାର ଥିବା କେରଳରେ କଂଗ୍ରେସ ୧୮ ଦିନ ବିତାଇବାକୁ ଥିବାବେଳେ ବିଜେପି ଶାସିତ ଉତ୍ତର ପ୍ରଦେଶରେ କେବଳ ଦୁଇ ଦିନ ହିଁ କଟାଇବା ସ୍ଥିର ହୋଇଛି । ବିଜେପି-ଆରଏସ୍ଏସ୍ ବିରୋଧରେ କଂଗ୍ରେସର ଏହା ଅଜବ ଅଭିଯାନ | ସିପିଆଇ (ଏମ୍) ରାହୁଲ ଗାନ୍ଧୀଙ୍କ ଏକ ଛବି ସହିତ ଟୁଇଟ୍ କରି କହିଛି “ଭାରତ ଯୋଡୋ ନା ଆସନ ଯୋଡୋ | କେରଳରେ ୧୮ ଦିନ … ଉତ୍ତର ପ୍ରଦେଶରେ ଦୁଇ ଦିନ। ”

କଂଗ୍ରେସ ଏହାର ଜବାବ ରଖି କହିଛି ଯେ ସିପିଆଇ (ଏମ୍) ହେଉଛି କେରଳରେ ବିଜେପିର ‘ଏ’ ଦଳ । କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ ସିପିଆଇଏମକୁ ପାଲଟା ଆକ୍ରମଣ କରି କହିଛନ୍ତି, ନିଜ ହୋମୱାର୍କ ଭଲ ଭାବେ ପ୍ରସ୍ତୁତ କର ଏବଂ ଏହି ଯାତ୍ରାର ଯୋଜନା ଏପରି କାହିଁକି କରାଯାଇଛି ତାହା ଜାଣିବାକୁ ଚେଷ୍ଟା କର। ଯାହାକି ବିଜେପିର ‘ଏ’ ଦଳ ପୁଣି ସମାଲୋଚନା କରୁଛି !” ”

ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧୀ ୱାୟାନାଡ (କେରଳ)ର ସାଂସଦ ଥିବା ବେଳେ ରାଜ୍ୟରେ ଦଳର ସ୍ଥିତି ସୁଦୃଢ ରହିଛି । କଂଗ୍ରେସର ‘ଭାରତ ଯୋଡୋ’ ଯାତ୍ରା ୧୨ଟି ରାଜ୍ୟ ଏବଂ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ଗତି କରିବ ଏବଂ ୧୫୦ ଦିନ ମଧ୍ୟରେ କନ୍ୟାକୁମାରୀ ଠାରୁ କାଶ୍ମୀର ପର୍ଯ୍ୟନ୍ତ ୩,୫୭୦ କିଲୋମିଟର ଦୂରତା ଅତିକ୍ରମ କରିବ | ଏହି ଯାତ୍ରା ସମୟରେ ଦେଶର ୨୨ଟି ସହରରେ ରାଲି ଅନୁଷ୍ଠିତ ହେବ |

ଆଜି ଅର୍ଥାତ୍ ସୋମବାର ଦିନ କେରଳର କଂଗ୍ରେସ ‘ଭାରତ ଯୋଡୋ’ ଯାତ୍ରାର ଦ୍ୱିତୀୟ ଦିନ ଥିଲା ଏବଂ ଏହାକୁ ନେଇ ଲୋକଙ୍କ ମଧ୍ୟରେ ବହୁତ ଉତ୍ସାହ ଥିଲା। ପାର୍ଟି ନେତା ରାହୁଲ ଗାନ୍ଧୀ ସକାଳେ ଭେଲାୟାନି ଜଙ୍କସନରୁ ଏହି ପଦଯାତ୍ରା ଆରମ୍ଭ କରିଥିଲେ । ଏଥିରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇଥିଲେ । ରାହୁଲଙ୍କୁ ଦେଖିବାକୁ ରାସ୍ତା କଡ଼ରେ ଲୋକଙ୍କ ଭିଡ଼ ଜମିଥିଲା। କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ସେପ୍ଟେମ୍ବର ୭ରୁ ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିଲା।