୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ | News Room Odisha

୨୦୨୮ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ

ମୁମ୍ବାଇ: ଲସ୍ ଆଞ୍ଜେଲସରେ ହେବାକୁ ଥିବା ୨୦୨୮ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଛି । ଏନେଇ ମୁମ୍ବାଇରେ ଚାଲିଥିବା ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି)ର ଅଧିବେଶନରେ ମୋହର ବାଜିଛି । ୧୨୮ ବର୍ଷ ପରେ ଅଲିମ୍ପିକ୍ସକୁ ଫେରିଛି କ୍ରିକେଟ୍ । ଅଲିମ୍ପିକ୍ସରେ ଟି-୨୦ ଫର୍ମାଟରେ କ୍ରିକେଟ୍ ଖେଳାଯିବ । କ୍ରିକେଟ୍ ବ୍ୟତୀତ ସ୍କ୍ୱାସ୍, ବେସବଲ୍ / ସଫ୍ଟବଲ୍, ଲାକ୍ରୋସ୍ ଏବଂ ଫ୍ଲାଗ୍ ଫୁଟବଲକୁ ମଧ୍ୟ ୨୦୨୮ ଅଲିମ୍ପିକ୍ସରେ ସାମିଲ କରିବାକୁ ଆଇଓସିର ୧୪୧ ତମ ଅଧିବେଶନରେ ନିଷ୍ପତ୍ତି ହୋଇଛି ।

ଆଇଓସି ‘ଏକ୍ସ’ରେ ଏକ ପୋଷ୍ଟରେ କହିଛି, ବେସବଲ୍ / ସଫ୍ଟବଲ୍, କ୍ରିକେଟ୍ (ଟି-୨୦), ଫ୍ଲାଗ୍ ଫୁଟବଲ୍, ଲାକ୍ରୋସ୍ (ଷଷ୍ଠ) ଏବଂ ସ୍କ୍ୱାସ୍ ଲସ୍ ଆଞ୍ଜେଲସ୍ -୨୦୨୮ର କ୍ରୀଡାର ଅଂଶ ହେବେ ।

ଲସ୍ ଆଞ୍ଜେଲସ୍ -୨୮ ଆୟୋଜକ କମିଟି ସୁପାରିସ କରିଥିବା ପାଞ୍ଚଟି କ୍ରୀଡାକୁ ସାମିଲ କରିବା ପ୍ରସ୍ତାବ ଉପରେ‌ ସୋମବାର ଭୋଟିଂ ହୋଇଥିଲା । ଆଇଓସିର ୯୯ ସଦସ୍ୟଙ୍କ ମଧ୍ୟରୁ କେବଳ ଦୁଇଜଣ ଏହି ପ୍ରସ୍ତାବକୁ ବିରୋଧ କରିଥିଲେ।

ଭୋଟିଂ ପରେ ଆଇଓସି ସଭାପତି ଥୋମାସ୍ ବାକ୍ ଅନ୍ୟ କ୍ରୀଡ଼ା ସହିତ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରାଯାଇଥିବା ଘୋଷଣା କରିଥିଲେ।

ଏହା ପୂର୍ବରୁ କ୍ରିକେଟ୍ କେବଳ ଥରେ ୧୯୦୦ ପ୍ୟାରିସ୍ ଅଲିମ୍ପିକ୍ସରେ ଖେଳାଯାଇଥିଲା । ସେତେବେଳେ କ୍ରିକେଟ୍ ଇଭେଣ୍ଟରେ କେବଳ ଦୁଇଟି ଦଳ ଇଂଲଣ୍ଡ ଓ ଫ୍ରାନ୍ସ ହିଁ ଭାଗ ନେଇଥିଲେ । ଫ୍ରାନ୍ସକୁ ପରାସ୍ତ କରି ଇଂଲଣ୍ଡ ସ୍ବର୍ଣ୍ଣ ପଦକ ଜିତିଥିଲା ।

ଭାରତରେ କ୍ରିକେଟ୍ ର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ କରିବାକୁ ଆଇସିସିର ପ୍ରସ୍ତାବକୁ ବିସିସିଆଇ ସମର୍ଥନ କରିଥିଲା । ବିସିସିଆଇ ୨୦୨୧ରେ ନିଜ ମତ ବଦଳାଇ ଅଲିମ୍ପିକ୍ସରେ କ୍ରିକେଟକୁ ସାମିଲ କରିବା ପ୍ରସ୍ତାବକୁ ସମର୍ଥନ କରିଥିଲା । ଏହା ପୂର୍ବରୁ ଏହି ପ୍ରସଙ୍ଗରେ ଭାରତୀୟ ବୋର୍ଡ ସନ୍ଦିହାନ ଥିଲା । ଅଲିମ୍ପିକ୍ସରେ ସାମିଲ ହେଲେ କ୍ରିକେଟ୍ ଖେଳ ଏହାର ସ୍ୱାୟତ୍ତତା ହରାଇବ ବୋଲି ବିସିସିଆଇ ଆଶଙ୍କା ବ୍ୟକ୍ତ କରିଥିଲା ।

ଇଟାଲୀର ଅଲିମ୍ପିକ୍ ଚାମ୍ପିଅନ୍ ସୁଟର ତଥା ଲସ୍ ଆଞ୍ଜେଲ୍ସର କ୍ରୀଡା ନିର୍ଦ୍ଦେଶକ ନିକୋଲୋ କ୍ୟାମ୍ପ୍ରିଆନି ବିରାଟ କୋହଲିଙ୍କ ଲୋକପ୍ରିୟତାର ଉଦାହରଣ ଦେଇଛନ୍ତି।

ସେ କହିଛନ୍ତି, “ବିଶ୍ୱର ଦ୍ୱିତୀୟ ଲୋକପ୍ରିୟ ଖେଳକୁ ସ୍ୱାଗତ କରି ଆମେ ଆନନ୍ଦିତ, ଯାହାର ସାରା ବିଶ୍ୱରେ ୨.୫ ବିଲିୟନରୁ ଅଧିକ ପ୍ରଶଂସକ ଅଛନ୍ତି। ଲସ୍ ଆଞ୍ଜେଲସରେ କାହିଁକି ବୋଲି ଆପଣମାନଙ୍କ ମଧ୍ୟରୁ କେତେକ ଭାବୁଥିବେ | ଆମେରିକ କ୍ରିକେଟର ବିକାଶ ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ । ଚଳିତ ବର୍ଷ ମେଜର ଲିଗ୍ କ୍ରିକେଟ୍ ବେଶ୍ ସଫଳ ହୋଇଛି ବୋଲି ସେ କହିଛନ୍ତି।

କ୍ୟାମ୍ପ୍ରିଆନି କହିଛନ୍ତି, “ଆସନ୍ତା ବର୍ଷ ଆମେରିକା ଏବଂ ୱେଷ୍ଟଇଣ୍ଡିଜରେ ମଧ୍ୟ ଟି-୨୦ ବିଶ୍ୱକପ ଅନୁଷ୍ଠିତ ହେବ। ଏହାଛଡ଼ା ଯୁବକମାନଙ୍କ ପାଇଁ ଖେଳକୁ ପ୍ରାସଙ୍ଗିକ ରଖିବା ଲାଗି ଡିଜିଟାଲ୍ ଉପସ୍ଥିତି ଆବଶ୍ୟକ । ଏଠାରେ ମୋର ବନ୍ଧୁ ବିରାଟ (କୋହଲି)ଙ୍କ ସୋସିଆଲ ମିଡିଆରେ ୩୪ କୋଟିରୁ ଅଧିକ ପ୍ରଶଂସକ ଅଛନ୍ତି। କୋହଲି ହେଉଛନ୍ତି ବିଶ୍ବର ତୃତୀୟ ସର୍ବାଧିକ ପ୍ରଶଂସକ ଥିବା ଆଥଲେଟ୍ |

ଆଇଓସି ସଭାପତି ଥୋମାସ୍ ବାକ୍ କହିଛନ୍ତି, ଆମେରିକାର କ୍ରୀଡା ସଂସ୍କୃତିକୁ ଦୃଷ୍ଟିରେ ରଖି ଏବଂ ଆନ୍ତର୍ଜାତୀୟ କ୍ରୀଡାକୁ ଆମେରିକାକୁ ଆଣିବା ପାଇଁ ଏହି ପାଞ୍ଚଟି କ୍ରୀଡା ଚୟନ କରାଯାଇଛି।

ଆଇସିସି ଏକ ବିବୃତ୍ତିରେ କହିଛି, ୧୯୦୦ ପରେ ପ୍ରଥମ ଥର ପାଇଁ ଅଲିମ୍ପିକ୍ସରେ କ୍ରିକେଟ୍ ସାମିଲ କରାଯାଇଛି। ଅଲିମ୍ପିକ୍ ମୂଲ୍ୟବୋଧ ଅନୁରୂପ ଓ ଆଥଲେଟ୍, ପ୍ରଶଂସକ, ଅଂଶୀଦାର ଏବଂ ସ୍ଥାନୀୟ ଲୋକଙ୍କୁ ଚମତ୍କାର ଅନୁଭୂତି ପ୍ରଦାନ ପାଇଁ ଏକ ପ୍ରସ୍ତାବ ସୃଷ୍ଟି କରିବାକୁ ଆଇସିସି କଠିନ ପରିଶ୍ରମ କରିଥିଲା ।