ପ୍ରଫେଟ୍ ମହମ୍ମଦ ବିବାଦ: ରାଞ୍ଚିରେ ହିଂସା, ପଥର ମାଡ଼ରେ ଅନେକ ପୋଲିସ କର୍ମଚାରୀ ଆହତ, କର୍ଫ୍ୟୁ ଜାରି | News Room Odisha

ପ୍ରଫେଟ୍ ମହମ୍ମଦ ବିବାଦ: ରାଞ୍ଚିରେ ହିଂସା, ପଥର ମାଡ଼ରେ ଅନେକ ପୋଲିସ କର୍ମଚାରୀ ଆହତ, କର୍ଫ୍ୟୁ ଜାରି

ରାଞ୍ଚି: ପ୍ରଫେଟ୍ ମହମ୍ମଦଙ୍କ ବିରୋଧରେ ନୁପୂର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପ୍ରତିବାଦରେ ଶୁକ୍ରବାର ଦିନ ରାଞ୍ଚିରେ ନମାଜ ପରେ ବିକ୍ଷୋଭ ପ୍ରଦର୍ଶନ ହିଂସାର ରୂପ ନେଇଛି । ବିକ୍ଷୋଭକାରୀମାନେ ପଥର ମାଡ଼ କରିବା ସହ ଅନେକ ଗାଡ଼ିରେ ନିଆଁ ଲଗାଇ ଦେଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଆସିଥିବା ପୋଲିସ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା । ଏଥିରେ ଅନେକ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି । ପଥର ମାଡ଼ର ରାଞ୍ଚି ଏସ୍ଏସପିଙ୍କ ମୁଣ୍ଡ ଫାଟି ଯାଇଛି ।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଫାଙ୍କା ଗୁଳି ଚଳାଇଥିଲା। ଏହି ସମୟରେ ବିକ୍ଷୋଭକାରୀମାନେ ମହାବୀର ମନ୍ଦିର ଉପରକୁ ପଥର ଫିଙ୍ଗିଥିଲେ। ଏହି ଘଟଣା ପରେ କିଛି ହିନ୍ଦୁ ସଂଗଠନ ମଧ୍ୟ ରାସ୍ତାକୁ ଓହ୍ଲାଇବାରୁ ପରିସ୍ଥିତି ଆହୁରି ଉତ୍ତେଜନାପୂର୍ଣ୍ଣ ହୋଇଥିଲା।

ବିହାରର ସଡ଼କ ନିର୍ମାଣ ମନ୍ତ୍ରୀ ନିତିନ ନବୀନ ମଧ୍ୟ ବିକ୍ଷୋଭକାରୀଙ୍କ ଆକ୍ରମଣର ଶିକାର ହୋଇଥିବା ଖବର ମିଳିଛି। ତାଙ୍କ କାର୍ ଭଙ୍ଗାରୁଜା କରାଯାଇଛି। ନବୀନ ବିଜେପି କୋଟାରୁ ନୀତୀଶ ସରକାରରେ ଜଣେ ମନ୍ତ୍ରୀ ଅଛନ୍ତି। ଉତ୍ତେଜନା ବଢିବା ପରେ ସହରରେ ବହୁ ସଂଖ୍ୟକ ପୋଲିସ ଏବଂ ସୁରକ୍ଷା ବାହିନୀ ମୁତୟନ କରାଯାଇଛି। ରାଞ୍ଚି ସହରରେ କର୍ଫ୍ୟୁ ଲାଗୁ କରାଯାଇଛି।

ମହାବୀର ମନ୍ଦିରରେ ପଥର ଫିଙ୍ଗିବା ସମୟରେ ଲୋକମାନେ ନିଜ ଜୀବନ ରକ୍ଷା କରିବାକୁ ମନ୍ଦିରରେ ଲୁଚି ରହିଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଲାଠିଚାର୍ଜ ଏବଂ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା। ଫାଙ୍କା ଗୁଳି ମଧ୍ୟ ଚଳାଇଥିଲା | ବିକ୍ଷୋଭକାରୀ ବିଧାୟକ ଅମିତ ଯାଦବଙ୍କ କାର୍ ଭାଙ୍ଗିଥିଲେ। ଶୁକ୍ରବାର ଦିନ ନିଲମ୍ବିତ ବିଜେପି ମୁଖପାତ୍ର ନୁପୂର ଶର୍ମାଙ୍କ ମନ୍ତବ୍ୟର ପ୍ରତିବାଦରେ ମୁସଲମାନ ସଂଗଠନ ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।