ଡଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ଦୁଇ ବର୍ଷ ଜେଲଦଣ୍ଡ କାଏମ | News Room Odisha

ଡଲେର ମେହେନ୍ଦୀ ଗିରଫ, ମାନବ ଚାଲାଣ ମାମଲାରେ ଦୁଇ ବର୍ଷ ଜେଲଦଣ୍ଡ କାଏମ

ଚଣ୍ଡିଗଡ଼ : ପଞ୍ଜାବର ଲୋକପ୍ରିୟ ଗାୟକ ଡଲେର ମେହେନ୍ଦୀ ଗିରଫ ହୋଇଛନ୍ତି । ୧୫ ବର୍ଷ ପୁରୁଣା ମାନବ ଚାଲାଣ ମାମଲାରେ ଏହି ଗାୟକଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ମେହନ୍ଦୀଙ୍କୁ ଦୁଇ ବର୍ଷ କାରାଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଗୁରୁବାର ପଞ୍ଜାବର ପଟିଆଲା କୋର୍ଟ ଡଲେର ମେହେନ୍ଦୀଙ୍କ ବିରୋଧରେ ଏହି ଦଣ୍ଡାଦେଶ କାଏମ ରଖିଛନ୍ତି।

ଏହି ମାମଲାର ଶୁଣାଣି ସମୟରେ ପଟିଆଲା କୋର୍ଟ ମେହେନ୍ଦୀଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ ଏବଂ ପରେ ତାଙ୍କୁ ଦଣ୍ଡିତ କରିଥିଲେ। ଏହା ୨୦୦୩ରେ ମାନବ ଚାଲାଣ ମାମଲା ସହ ଜଡ଼ିତ | ଏହି ମାମଲାରେ ଡଲେର ମେହେନ୍ଦୀ ଏବଂ ତାଙ୍କ ଭାଇଙ୍କ ବିରୋଧରେ ମୋଟ ୩୧ଟି ମାମଲା କେଶ୍ ରୁଜୁ ହୋଇଥିଲା। ପଟିଆଲା କୋର୍ଟର ରାୟ ପରେ ଡଲେର ମେହେନ୍ଦୀଙ୍କୁ ଗିରଫ କରାଯାଇଛି।

୨୦୦୩ରେ ଡଲେର ମେହେନ୍ଦୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା। ତାଙ୍କ ବିରୋଧରେ ବେଆଇନ ଭାବେ ଲୋକଙ୍କୁ ବିଦେଶ ପଠାଉଥିବା ନେଇ ଅଭିଯୋଗ ହୋଇଥିଲା। ଏହା କରିବା ପାଇଁ ଡଲେର ମେହେନ୍ଦୀ ଲୋକଙ୍କଠାରୁ ପ୍ରଚୁର ପରିମାଣର ଅର୍ଥ ସଂଗ୍ରହ କରୁଥିଲେ ବୋଲି କୁହାଯାଇଥିଲା । ୧୯୯୮ ରୁ ୧୯୯୯ ମଧ୍ୟରେ ଡଲେର ମେହେନ୍ଦୀ ଅତି କମରେ ୧୦ ଜଣ ଲୋକଙ୍କୁ ଆମେରିକାର ସାନ୍ ଫ୍ରାନ୍ସିସ୍କୋ ଏବଂ ନ୍ୟୁ ଜର୍ସିରେ ବେଆଇନ ଭାବେ ଛାଡ଼ିଥିଲେ। ଏହା ପରେ ମେହେନ୍ଦୀ ଏବଂ ତାଙ୍କ ଭାଇ ଶମସେର ସିଂହଙ୍କ ବିରୋଧରେ ମାମଲା ଦାୟର କରାଯାଇଥିଲା। ମାମଲା ରୁଜୁ ହେବା ପରେ ଦୁଇ ଭାଇଙ୍କ ବିରୋଧରେ ପ୍ରାୟ ୩୫ଟି ଅଭିଯୋଗ ଆସିଥିଲା।