ଏମପି ପରେ ୟୁପିରେ ଦଳିତ ଯୁବକଙ୍କ ସହ ବର୍ବରତା, ଜୋତା ଚାଟିବାକୁ ବାଧ୍ୟ କଲେ, ଉଠ୍ ବସ କରାଇଲେ | News Room Odisha

ଏମପି ପରେ ୟୁପିରେ ଦଳିତ ଯୁବକଙ୍କ ସହ ବର୍ବରତା, ଜୋତା ଚାଟିବାକୁ ବାଧ୍ୟ କଲେ, ଉଠ୍ ବସ କରାଇଲେ

ଲକ୍ଷ୍ନୌ: ମଧ୍ୟ ପ୍ରଦେଶରେ ଘଟିଥିବା ପରିସ୍ରା କାଣ୍ଡକୁ ନେଇ ଚର୍ଚ୍ଚା ଥମିନଥିବା ବେଳେ ଉତ୍ତର ପ୍ରଦେଶରେ ବି ଜଣେ ଦଳିତ ଯୁବକଙ୍କୁ ନିର୍ଯାତନା ଘଟଣା ସାମ୍ନାକୁ ଆସିଛି । ସୋନଭଦ୍ର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ଜୋତା ଚାଟିବାକୁ ବାଧ୍ୟ କରିବା ଏବଂ ଉଠ୍-ବସ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଘଟଣାର ଅଭିଯୁକ୍ତ ଜଣେ ଲାଇନମ୍ୟାନଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ ଯେତେବେଳେ ଦଲିତ ଯୁବକ ତାଙ୍କ ସମ୍ପର୍କୀୟଙ୍କ ଘରେ ବିଦ୍ୟୁତ ତାର ଯାଞ୍ଚ କରୁଥିଲେ ସେତେବେଳେ ଲାଇନମ୍ୟାନ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଏପରି ନିର୍ଯାତନା ଦେଇଥିଲେ ।

ପୋଲିସର ସୂଚନାନୁସାରେ, ଏହି ଘଟଣା ଜୁଲାଇ ୬ରେ ଘଟିଥିଲା । କିନ୍ତୁ ଅନଲାଇନରେ ଏହାର ଭିଡିଓ ଭାଇରାଲ ପରେ ଅଭିଯୋଗ ଆଧାରରେ ଏଫଆଇଆର ରୁଜୁ ହୋଇଥିଲା। ଭିଡିଓରେ ଅଭିଯୋଗକାରୀ ଅଭିଯୁକ୍ତଙ୍କ ଜୋତା ଚାଟିବା ଏବଂ ତାଙ୍କ ସାମ୍ନାରେ ଉଠ୍ ବସ୍ କରୁଥିବା ଦେଖାଯାଇଛି। ପୋଲିସ ଅଭିଯୁକ୍ତଙ୍କୁ ତେଜବାଲି ସିଂ ପଟେଲ ବୋଲି ଚିହ୍ନଟ କରିଛି।

ଅନୁସନ୍ଧାନକାରୀ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ଧାରା ୩୨୩ (ସ୍ବେଚ୍ଛାକୃତ ଭାବେ ଆଘାତ ଦେବା), ୫୦୪ (ଶାନ୍ତି ଭଙ୍ଗ ଉଦ୍ଦେଶ୍ୟରେ ଉଦ୍ଦେଶ୍ୟମୂଳକ ଅପମାନ) ଏବଂ ୫୦୬ (ଅପରାଧିକ ଧମକ) ଅନୁଯାୟୀ ଏକ ମାମଲା ରୁଜୁ କରିଛି।

କିଛି ଦିନ ତଳେ ମଧ୍ୟପ୍ରଦେଶର ସିଦ୍ଧ ଜିଲ୍ଲାର ଜଣେ ଦଳିତ ଯୁବକଙ୍କ ଉପରେ ପରିସ୍ରା କରିବା ଘଟଣା ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା। ପରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ପୀଡ଼ିତଙ୍କୁ ତାଙ୍କ ସରକାରୀ ବାସଭବନକୁ ନିମନ୍ତ୍ରଣ କରି ତାଙ୍କ ପାଦ ଧୋଇ କ୍ଷମା ମାଗିଥିଲେ । ଅଭିଯୁକ୍ତ ପ୍ରଭେଶ ଶୁକ୍ଲାଙ୍କୁ ଗିରଫ କରାଯାଇ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ତ୍ୱରାନ୍ୱିତ କରାଯାଇଥିଲା।