ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ ସହ ପରିସ୍ରା ପିଆଇଲେ | News Room Odisha

ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ ସହ ପରିସ୍ରା ପିଆଇଲେ

ପାଟନା: ବିହାରର ପାଟନା ଜିଲ୍ଲାରେ ଜଣେ ମହାଜନ ଏବଂ ତାଙ୍କ ସହଯୋଗୀମାନେ ଜଣେ ଦଳିତ ମହିଳାଙ୍କୁ ଉଲଗ୍ନ କରି ମାରପିଟ୍ କରିବା ସହ ପରିସ୍ରା ପିଆଇଥିବା ଅଭିଯୋଗ ହୋଇଛି ।

ଦଳିତ ମହିଳା ଜଣକ ନେଇଥିବା ଉଧାର ସୁଧ ସହ ସୁଝିଥିଲେ ମଧ୍ୟ ମହାଜନ ଅଧିକ ଟଙ୍କା ଦାବି କରୁଥିଲା । ଏନେଇ ମହିଳା ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଏହି ଘଟଣା ପରେ ମୁଖ୍ୟ ଅଭିଯୁକ୍ତ ପ୍ରମୋଦ ସିଂ ଏବଂ ତାଙ୍କ ପୁଅ ଅଂଶୁ ସିଂ ଫେରାର ହୋଇଯାଇଛନ୍ତି । ଉଭୟଙ୍କୁ ଗିରଫ କରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ପୋଲିସ୍ ।

ଆହତ ମହିଳା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମହିଳା ଜଣକ ଅଭିଯୋଗ କରିଛନ୍ତି ଯେ ସେ ନେଇଥିବା ଉଧାର ସୁଧ ସହ ସୁଝି ଦେଇଥିଲେ ମଧ୍ୟ ତାଙ୍କୁ ଏପରି ନିର୍ଯାତନା ଦିଆଯାଇଛି ।

ମହିଳା ଜଣକ କହିଛନ୍ତି, “ମୋ ସ୍ୱାମୀ କିଛି ମାସ ତଳେ ପ୍ରମୋଦ ସିଂଙ୍କଠାରୁ ୧୫୦୦ ଟଙ୍କା ଉଧାର ନେଇଥିଲେ । ତେବେ ସେ ସୁଧ ସହ ମୂଳ ଟଙ୍କା ଫେରସ୍ତ କରିଥିଲେ। ତଥାପି ପ୍ରମୋଦ ସିଂ ଅଧିକ ଟଙ୍କା ମାଗୁଥିଲେ, ଯାହା ଆମେ ଦେବାକୁ ମନା କରିଥିଲୁ। ”

ଶନିବାର ରାତିରେ ପାଟଣାର ଖୁସରୁପୁର ପୋଲିସ ଥାନା ଅଧୀନସ୍ଥ ଏକ ଗ୍ରାମରେ ଏହି ଘଟଣା ଘଟିଛି।

ମହିଳାଙ୍କ ପରିବାର ସଦସ୍ୟ ଗଣମାଧ୍ୟମକୁ କହିଛନ୍ତି, ପ୍ରମୋଦ ସିଂ ବିରୋଧରେ ଅଭିଯୋଗ ପରେ ପୋଲିସ ଟିମ୍ ଶନିବାର ଗାଁକୁ ଯାଇ ତଦନ୍ତ କରିଥିଲେ। ତେବେ ଏହା ଦେଖି ପ୍ରମୋଦଙ୍କ ରାଗ ଚରମରେ ପହଞ୍ଚିଥିଲା । ଶନିବାର ରାତି ପ୍ରାୟ ୧୦ଟା ସମୟରେ ପ୍ରମୋଦଙ୍କ କିଛି ଲୋକ ଆସି ମହିଳାଙ୍କୁ ଜବରଦସ୍ତ ଉଠାଇ ପ୍ରମୋଦଙ୍କ ଘରକୁ ନେଇଯାଇଥିଲେ । ମହିଳାଙ୍କୁ ସେଠାରେ ମାଡ଼ ଦିଆଯିବା ସହ ନିର୍ଯାତନା ଦିଆଯାଇଥିଲା।

ପୋଲିସକୁ ଦେଇଥିବା ବୟାନରେ ମହିଳା ଜଣକ କହିଛନ୍ତି, “ପ୍ରମୋଦ ତାଙ୍କ ପୁଅକୁ ମୋ ପାଟିରେ ପରିସ୍ରା କରିବାକୁ କହିଥିଲେ । ତାଙ୍କ ପୁଅ ମଧ୍ୟ ସେଭଳି କରିଥିଲା। ମୁଁ କୌଶଳ କ୍ରମେ ସେଠାରୁ ଖସି ପଳାଇ ଆସିବାରେ ସଫଳ ହେଇଥିଲି |