ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ିଲା ୨୦୦୦ ଟଙ୍କିଆ ନୋଟ୍ ବଦଳ ସମୟସୀମା | News Room Odisha

ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ିଲା ୨୦୦୦ ଟଙ୍କିଆ ନୋଟ୍ ବଦଳ ସମୟସୀମା

ନୂଆଦିଲ୍ଲୀ: ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୦୦ ଟଙ୍କିଆ ନୋଟ୍ ଜମା ଓ ବଦଳ କରିବାର ସମୟସୀମା ଅକ୍ଟୋବର ୭ ପର୍ଯ୍ୟନ୍ତ ବଢ଼ାଇଛି । ଦୁଇ ହଜାର ଟଙ୍କିଆ ନୋଟ୍ ବ୍ୟାଙ୍କରେ ବଦଳ କରିବା ସମୟସୀମା ଆଜି ଶେଷ ହେଉଥିଲା । ତେବେ ଏହି ପ୍ରକ୍ରିୟାର ସମୀକ୍ଷା ପରେ ରିଜର୍ଭ ବ୍ୟାଙ୍କ ସମୟସୀମା ଆଉ ସପ୍ତାହେ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି।

ଚଳିତ ବର୍ଷ ମେ ୧୯ରେ ଆରବିଆଇ ଏକ ସର୍କୁଲାର ଜାରି କରି ବଜାରରୁ ୨୦୦୦ ଟଙ୍କିଆ ନୋଟ୍ ପ୍ରତ୍ୟାହାର କରିବାକୁ ଘୋଷଣା କରିଥିଲା । ଲୋକଙ୍କୁ ସେପ୍ଟେମ୍ବର ୩୦ ସୁଦ୍ଧା ବ୍ୟାଙ୍କରେ ୨୦୦୦ ଟଙ୍କିଆ ନୋଟ୍ ଜମା ଓ ବଦଳ କରିବାକୁ ସମୟ ଦିଆଯାଇଥିଲା। ବ୍ୟାଙ୍କ ଗୁଡିକରୁ ମିଳିଥିବା ତଥ୍ୟ ଅନୁଯାୟୀ, ମେ ୧୯ ତାରିଖ ସୁଦ୍ଧା ବଜାରରେ ୩.୫୬ ଲକ୍ଷ କୋଟି ମୂଲ୍ୟର ୨୦୦୦ ଟଙ୍କିଆ ନୋଟ୍ ପ୍ରଚଳନ ଥିଲା। ଏଥିମଧ୍ୟରୁ ସେପ୍ଟେମ୍ବର ୨୯ ପର୍ଯ୍ୟନ୍ତ ୩.୪୨ ଲକ୍ଷ କୋଟି ମୂଲ୍ୟର ନୋଟ୍ ଫେରସ୍ତ କରାଯାଇଥିଲା। ବର୍ତ୍ତମାନ ବଜାରରେ ମାତ୍ର ୦.୧୪ ଲକ୍ଷ କୋଟି ମୂଲ୍ୟର ନୋଟ୍ ଅଛି |

ନଭେମ୍ବର ୨୦୧୬ରେ ମୋଦୀ ସରକାର ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍ ଅଚଳ କରିବାକୁ ଘୋଷଣା କରିବା ପରେ ୨୦୦୦ ଟଙ୍କିଆ ନୋଟ୍ ବଜାରକୁ ଛଡାଯାଇଥିଲା । ତେବେ ଆରବିଆଇ ୨୦୧୮-୧୯ ବର୍ଷରୁ ୨୦୦୦ ଟଙ୍କିଆ ନୋଟ୍ ଛାପିବା ବନ୍ଦ କରି ଦେଇଥିଲା । ଏହାଛଡ଼ା ୨୦୨୧-୨୨ରେ ୩୮ କୋଟି ୨୦୦୦ ଟଙ୍କିଆ ନୋଟ୍ ନଷ୍ଟ କରାଯାଇଥିଲା |