କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା | News Room Odisha

କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୪ ପ୍ରତିଶତ ବଢ଼ିଲା

ନୂଆଦିଲ୍ଲୀ: କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ମିଳିଛି ଦଶହରା ଭେଟି । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ଆଉ ୪ ପ୍ରତିଶତ ବୃଦ୍ଧି କରିବାକୁ ସରକାର ଘୋଷଣା କରିଛନ୍ତି।

ବୁଧବାର କ୍ୟାବିନେଟ୍ ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଏହି ସୂଚନା ଦେଇଛନ୍ତି । କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ଏବଂ ପେନସନଭୋଗୀଙ୍କ ଡିଆର୍ ୪ ପ୍ରତିଶତ ବୃଦ୍ଧି କରିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଛନ୍ତି । ଏହା ଜୁଲାଇ ୧, ୨୦୨୩ରୁ ଲାଗୁ ହେବ । କେନ୍ଦ୍ରୀୟ କର୍ମଚାରୀମାନଙ୍କ ମହଙ୍ଗା ଭତ୍ତା ୪୨ ପ୍ରତିଶତରୁ ବର୍ତ୍ତମାନ ୪୬ ପ୍ରତିଶତକୁ ବୃଦ୍ଧି ପାଇଛି। କେନ୍ଦ୍ର କ୍ୟାବିନେଟର ଏହି ନିଷ୍ପତ୍ତି ଦ୍ବାରା ୪୮.୬୭ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଓ ୬୭.୯୫ ଲକ୍ଷ ପେନସନଭୋଗୀ ଉପକୃତ ହେବେ ।

ଏହାଛଡ଼ା ରେଳ କର୍ମଚାରୀଙ୍କୁ ବୋନସ୍ ଦେବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି ।

କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, ରେଳବାଇର ଅଣ-ଗେଜେଟେଡ୍ କର୍ମଚାରୀଙ୍କୁ ୭୮ ଦିନର ବେତନ ସହ ସମାନ ବୋନସ୍ ପ୍ରଦାନ କରାଯିବ।

ଏହାଛଡ଼ା ଚାଷୀମାନଙ୍କୁ ବି କେନ୍ଦ୍ର ସରକାର ବଡ଼ ରିଲିଫ୍ ଦେଇଛନ୍ତି । କେନ୍ଦ୍ର କ୍ୟାବିନେଟରେ ୬ଟି ରବି ଫସଲ ଉପରେ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ବୃଦ୍ଧି କରିବାକୁ ନିଷ୍ପତ୍ତି ହୋଇଛି । ତୈଳବୀଜ ଏବଂ ସୋରିଷ କ୍ୱିଣ୍ଟାଲ ପିଛା ଏମଏସପି ୨୦୦ ଟଙ୍କା ବୃଦ୍ଧି କରାଯାଇଛି। ମୋଟା ଶସ୍ୟ ଉତ୍ପାଦନ ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି। ଅନୁରାଗ ଠାକୁର କହିଛନ୍ତି ଯେ ମସୁର ଡାଲିର ମୂଲ୍ୟ କ୍ୱିଣ୍ଟାଲ ପିଛା ୪୨୫ ଟଙ୍କା, ଗହମ କ୍ୱିଣ୍ଟାଲ ପିଛା ୧୫୦ ଟଙ୍କା, ବାର୍ଲି କ୍ୱିଣ୍ଟାଲ ପିଛା ୧୧୫ ଟଙ୍କା ଏବଂ ଚଣା କ୍ୱିଣ୍ଟାଲ ପିଛା ଏମଏସପି ୧୦୫ ଟଙ୍କା ବୃଦ୍ଧି କରାଯାଇଛି।