କାତାରରେ ଗିରଫ ୮ ଭାରତୀୟଙ୍କୁ ଆଶ୍ବସ୍ତି, ଫାଶି ଉପରେ ରୋକ୍ | News Room Odisha

କାତାରରେ ଗିରଫ ୮ ଭାରତୀୟଙ୍କୁ ଆଶ୍ବସ୍ତି, ଫାଶି ଉପରେ ରୋକ୍

ନୂଆଦିଲ୍ଲୀ: କତାରରେ ଗିରଫ ୮ ଭାରତୀୟ ନୌସେନା ଅଧିକାରୀଙ୍କୁ ମିଳିଛି ବଡ଼ ଆଶ୍ବସ୍ତି । ସେମାନଙ୍କ ଫାଶୀଦଣ୍ଡ ଉପରେ କାତାରର ଏକ କୋର୍ଟ ରୋକ୍ ଲଗାଇଛନ୍ତି । ଫାଶୀଦଣ୍ଡକୁ ଜେଲଦଣ୍ଡରେ ବଦଳାଇଛନ୍ତିି କୋର୍ଟ। ଏହି ୮ ଭାରତୀୟ ନୌସେନା ଅଧିକାରୀଙ୍କୁ କାତାରର ଏକ କୋର୍ଟ ଗୁପ୍ତଚର ଅଭିଯୋଗରେ ମୃତ୍ୟୁଦଣ୍ଡ ଦେଇଥିଲେ। କାତାର କୋର୍ଟଙ୍କ ଏହି ରାୟରେ ଭାରତ ସରକାର ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ । ଭାରତ ସରକାର ଏହା ବିରୋଧରେ ଅପିଲ କରିଥିଲେ।

ଭାରତୀୟ ନୌସେନାର ଏହି ସମସ୍ତ ପୂର୍ବତନ ଅଧିକାରୀ ଗତ ବର୍ଷ ଅଗଷ୍ଟରୁ କତାରର ଏକ ଜେଲରେ ଅଛନ୍ତି। ସେମାନଙ୍କ ବିରୋଧରେ ଅଭିଯୋଗ ସମ୍ପର୍କରେ କତାର ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ସୂଚନା ଦେଇନାହିଁ। ତେବେ ଏହି ମାମଲା ସହ ଅବଗତ ସୂତ୍ରରୁ ପ୍ରକାଶ ଯେ ସେମାନଙ୍କ ବିରୋଧରେ ଗୁପ୍ତଚରଗିରି ଅଭିଯୋଗ ହୋଇଛି।

ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ଦହରା ଗ୍ଲୋବାଲ ମାମଲାରେ ଗିରଫ ହୋଇଥିବା ପୂର୍ବତନ ନୌସେନା ଅଧିକାରୀଙ୍କ ଉପରେ ଆଜିର ରାୟ ଆମେ ଦେଖୁଛୁ । ସେମାନଙ୍କ ଦଣ୍ଡ କୋହଳ କରାଯାଇଛି। କାତାର ଅପିଲ କୋର୍ଟର ବିସ୍ତୃତ ରାୟକୁ ଆମେ ଅପେକ୍ଷା କରିଛୁ। ଆମର ପରବର୍ତ୍ତୀ ପଦକ୍ଷେପ କ’ଣ ହେବ ତାହା ସ୍ଥିର କରିବାକୁ ଆମେ ଲିଗାଲ ଟିମ୍ ସହ ପରିବାର ସଦସ୍ୟଙ୍କ ସହ ଯୋଗାଯୋଗରେ ଅଛୁ।

ଏହି ୮ ପୂର୍ବତନ ନୌସେନା ଅଧିକାରୀ କତାରର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ | ଏହି କମ୍ପାନୀ କାତାରର ଏମିରି ନୌସେନାକୁ ତାଲିମ ଏବଂ ଅନ୍ୟାନ୍ୟ ସେବା ଯୋଗାଇଥାଏ | ମିଡିଆ ରିପୋର୍ଟ ଅନୁଯାୟୀ, ଏହି କମ୍ପାନୀର ନାମ ହେଉଛି ଦହରା ଗ୍ଲୋବାଲ ଟେକ୍ନୋଲୋଜି ଏବଂ କନସଲଟାନ୍ସି ସର୍ଭିସେସ୍ | କମ୍ପାନୀ ନିଜକୁ କତାର ପ୍ରତିରକ୍ଷା, ସୁରକ୍ଷା ଏବଂ ଅନ୍ୟାନ୍ୟ ସରକାରୀ ଏଜେନ୍ସିର ପାର୍ଟନର ବୋଲି ଦାବି କରୁଛି |