ଗୁଜରାଟରେ ବିଷାକ୍ତ ମଦର ବିଭୀଷିକା, ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି | News Room Odisha

ଗୁଜରାଟରେ ବିଷାକ୍ତ ମଦର ବିଭୀଷିକା, ମୃତ୍ୟୁ ସଂଖ୍ୟା ୨୪କୁ ବୃଦ୍ଧି

ଅହମ୍ମଦାବାଦ: ଗୁଜରାଟରେ ବିଷାକ୍ତ ମଦର ବିଭୀଷିକା ଜାରି ରହିଛି । ଏଥିରେ ମଙ୍ଗଳବାର ଆଉ ୭ ଜଣଙ୍କ ମୃତ୍ୟୁ ହୋଇଛି । ଏଥିସହ ଏହି ଘଟଣାରେ ମୃତ୍ୟୁସଂଖ୍ୟା ୨୪କୁ ବୃଦ୍ଧି ପାଇଛି । ଭାବନଗର ରେଞ୍ଜ ଇନ୍ସପେକ୍ଟର ଜେନେରାଲ ଅଶୋକ କୁମାର ଯାଦବଙ୍କ ସୂଚନା ଅନୁଯାୟୀ ମୃତକଙ୍କ ମଧ୍ୟରୁ ୧୫ ଜଣ ବୋଟାଡ ଜିଲ୍ଲାର ହୋଇଥିବାବେଳେ ନଅ ଜଣ ଅହମ୍ମଦାବାଦ ଗ୍ରାମାଞ୍ଚଳର। ମଦ ତିଆରିରେ ମିଥାନେଲ୍ ନାମକ କେମିକାଲ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି । ବିଷାକ୍ତ ମଦ ମାମଲାର କିଙ୍ଗପିନ୍ ଏବଂ ମିଥାନେଲ୍ ଯୋଗାଣକାରୀଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଉଛି। ବୋଟାଡର ପୋଲିସ ସୂତ୍ରରୁ ପ୍ରକାଶ ଯେ ରାତାରାତି ସର୍ଚ୍ଚ ଅପରେସନ କରାଯାଇଥିଲା ଯେଉଁଥିରେ ୬୦୦ ଲିଟର ମିଥାନେଲ୍ ଜବତ କରାଯାଇଥିଲା।

ସେ କହିଛନ୍ତି ଯେ, ଅହମ୍ମଦାବାଦ ସ୍ଥିତ ଆମୋସ କମ୍ପାନୀର ଜୟଶେଭବାଇ ଏହି କେମିକାଲ ଯୋଗାଣ କରିଥିବା ଅଭିଯୋଗ ହୋଇଛି ଏବଂ ତାଙ୍କ ସହ ରାଜୁ ନାମକ ଜଣେ ବ୍ୟକ୍ତିଙ୍କୁ ପଚରାଉଚରା କରାଯାଉଛି। ଇତି ମଧ୍ୟରେ ବୋଟାଡ ଜିଲ୍ଲାର କଂଗ୍ରେସ ନେତା ମନହର ପଟେଲ କହିଛନ୍ତି ଯେ ସୋମବାରର ଦୁଃଖଦ ଘଟଣାରେ ମୃତ୍ୟୁସଂଖ୍ୟା ୨୪ ନୁହେଁ ବରଂ ୩୧ ହେଲାଣି ।

ପଟେଲ ଦାବି କରିଛନ୍ତି ଯେ ସେ ଓ ରୋଜିଡ ଗାଁର ସରପଞ୍ଚ ଜେଡି ଡୁଙ୍ଗରାନୀ ଚାରିମାସ ତଳେ ବେଆଇନ ମଦ କାରବାର ନେଇ ଅଭିଯୋଗ କରିଥିଲେ। କିନ୍ତୁ ଏଥିପ୍ରତି ରାଜ୍ୟ ସରକାର କୌଣସି କର୍ଣ୍ଣପାତ କରିନଥିଲେ । ସେପଟେ ଆଜି ସକାଳ ସୁଦ୍ଧା ବିଷାକ୍ତ ମଦ ପିଇ ଅସୁସ୍ଥ ହୋଇଯାଇଥିବା ବୋଟାଡ ଗ୍ରାମାଞ୍ଚଳର ୪୭ ଜଣଙ୍କୁ ଭାବନଗର ଜିଲ୍ଲା ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା।