ବିକାନେର-ଗୁଆହାଟି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି | News Room Odisha

ବିକାନେର-ଗୁଆହାଟି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି

କୋଲକାତା: ପଶ୍ଚିମବଙ୍ଗର ଜାଲପାଇଗୁଡି ଜିଲ୍ଲାରେ ଘଟିଥିବା ବିକାନେର-ଗୁଆହାଟି ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୯କୁ ବୃଦ୍ଧି ପାଇଛି। ଏହି ଟ୍ରେନ୍ ଦୁର୍ଘଟଣାରେ ୩୧ ଜଣ ଆହତ ହୋଇଥିବା ସୂଚନା ମିଳିଛି | ଗୁରୁବାର ଅପରାହ୍ନ ପ୍ରାୟ ୫ଟାରେ ବିକାନେରରୁ ଗୁଆହାଟି ଅଭିମୁଖେ ଯାଉଥିବା ଏହି ଏକ୍ସପ୍ରେସ ଟ୍ରେନର ୧୨ଟି କୋଚ୍ ଲାଇନଚ୍ୟୁତ ହୋଇଯାଇଥିଲା। ଏହାପୂର୍ବରୁ ଉତ୍ତର ପଶ୍ଚିମବଙ୍ଗର ଇନ୍ସପେକ୍ଟର ଜେନେରାଲ (ଆଇଜିପି) ଡିପି ସିଂ କହିଛନ୍ତି ଯେ ବିକାନେର-ଗୁଆହାଟି ଏକ୍ସପ୍ରେସର ଦୁଇଟି କୋଚ ଭିତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ କିଛି ଯାତ୍ରୀ ଫସି ରହିଥିଲେ। ତେବେ ସେମାନଙ୍କୁ ନିରାପଦରେ ବାହାର କରାଯାଇଥିଲା।

ଆଜି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଦୁର୍ଘଟଣା ସ୍ଥଳ ପରିଦର୍ଶନ କରିବେ। ଗୁରୁବାର ବିଳମ୍ବିତ ରାତିରେ ସେ ହାୱାଡାରେ ପହଞ୍ଚି ରେଳବାଇର ବରିଷ୍ଠ ଅଧିକାରୀଙ୍କ ସହ ଏକ ସ୍ୱତନ୍ତ୍ର ଟ୍ରେନରେ ଉତ୍ତର ବଙ୍ଗଳା ଅଭିମୁଖେ ଯାତ୍ରା କରିଥିଲେ।