ଆଜିଠାରୁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ, ପ୍ରଥମେ କହିବେ ରାହୁଲ ଗାନ୍ଧୀ | News Room Odisha

ଆଜିଠାରୁ ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ, ପ୍ରଥମେ କହିବେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ମଣିପୁର ପ୍ରସଙ୍ଗରେ ମୋଦୀ ସରକାରଙ୍କ ବିରୋଧରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜିଠାରୁ ଲୋକସଭାରେ ବିତର୍କ ହେବ। ଏହି ପ୍ରସ୍ତାବ ଉପରେ ଆଲୋଚନା ଦୁଇ ଦିନ ଅର୍ଥାତ୍ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଚାଲିବ। ସଂସଦ ସଦସ୍ୟତା ଫେରିପାଇବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅନାସ୍ଥା ପ୍ରସ୍ତାବ ଉପରେ ପ୍ରଥମେ କହିବା ସମ୍ଭାବନା ରହିଛି । କଂଗ୍ରେସ କହିଛି ଯେ ସରକାରଙ୍କ ବିରୋଧରେ ଏହି ଅନାସ୍ଥା ପ୍ରସ୍ତାବ ଉପରେ ବିତର୍କ ବେଳେ ରାହୁଲ ଗାନ୍ଧୀ ଦଳ ପକ୍ଷରୁ ମୁଖ୍ୟ ବକ୍ତା ଭୂମିକା ଗ୍ରହଣ କରିବେ। ଜୁଲାଇ ୨୬ରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ବିରୋଧୀ ଦଳ ଆଣିଥିବା ଏହି ପ୍ରସ୍ତାବକୁ ଗ୍ରହଣ କରିଥିଲେ। ଏହି ପ୍ରସ୍ତାବ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୧୦ରେ ଉତ୍ତର ରଖିବେ ।‌

ବର୍ତ୍ତମାନର କାର୍ଯ୍ୟକାଳରେ ମୋଦୀ ସରକାରଙ୍କ ବିରୋଧରେ ଏହା ପ୍ରଥମ ଅନାସ୍ଥା ପ୍ରସ୍ତାବ। ମୋଦୀ ସରକାରଙ୍କ ପୂର୍ବ କାର୍ଯ୍ୟକାଳରେ ୨୦୧୮ ମସିହାରେ ଥରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଥିଲା ।

ସୂଚନା ଅନୁଯାୟୀ, ଆଲୋଚନାରେ ବିଜେପି ପକ୍ଷରୁ ପ୍ରାୟ ୨୦ ଜଣ ବକ୍ତା ଯୋଗଦେବେ। ଏଥି ମଧ୍ୟରେ ନିଶିକାନ୍ତ ଦୁବେ, ସ୍ମୃତି ଇରାନୀ, ନିର୍ମଳା ସୀତାରମଣ, ଜ୍ୟୋତିରାଦିତ୍ୟ ସିନ୍ଧିଆ ଏବଂ ରାଜଭାରତ ସିଂହ ରାଠୋରଙ୍କ ନାମ ରହିଛି। ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ରଖିବେ।