୨୦୨୪ ଲୋକସଭା ନିର୍ବାଚନ କେଜ୍ରିୱାଲ ବନାମ ମୋଦୀ ହେବ: ସିସୋଦିଆ | News Room Odisha

୨୦୨୪ ଲୋକସଭା ନିର୍ବାଚନ କେଜ୍ରିୱାଲ ବନାମ ମୋଦୀ ହେବ: ସିସୋଦିଆ

ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ତାଙ୍କ ବାସଭବନରେ ଚଢ଼ାଉ କରିବାର ଦିନକ ପରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଶନିବାର କହିଛନ୍ତି ଯେ ୨୦୨୪ ଲୋକସଭା ନିର୍ବାଚନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନାମ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହେବ। ଏହି ଲଢେଇ ଆପ୍ ଓ ବିଜେପି ମଧ୍ୟରେ ହେବ।

ସେ ଅଭିଯୋଗ କରିଛନ୍ତି ଯେ ଆମ୍ ଆଦମୀ ପାର୍ଟି (ଏଏପି)ର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କୁ ଭୟଭୀତ କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ କୌଶଳ ପ୍ରୟୋଗ କରୁଛନ୍ତି।

ସିସୋଦିଆ କହିଛନ୍ତି, ଦିଲ୍ଲୀର ଅବକାରୀ ନୀତି ସମ୍ପୂର୍ଣ୍ଣ ସ୍ୱଚ୍ଛତା ସହ ଲାଗୁ ହୋଇଥିଲା ଏବଂ କୌଣସି ଘୋଟାଲା ହୋଇ ନାହିଁ। ସେ କହିଛନ୍ତି ଯେ ସେମାନେ (କେନ୍ଦ୍ର ସରକାର) ଅରବିନ୍ଦ କେଜ୍ରିୱାଲଙ୍କୁ ରୋକିବାକୁ ଚାହୁଁଛନ୍ତି, ଯାହାଙ୍କ ଶିକ୍ଷା ଏବଂ ସ୍ୱାସ୍ଥ୍ୟ କ୍ଷେତ୍ରରେ କାର୍ଯ୍ୟ ସାରା ବିଶ୍ୱରେ ଚର୍ଚ୍ଚା ହେଉଛି।

ଦିଲ୍ଲୀର ଅବକାରୀ ନୀତିରେ ଦୁର୍ନୀତି ଅଭିଯୋଗରେ ରୁଜୁ କରିବା ପରେ ଶୁକ୍ରବାର ସକାଳେ ସିସୋଦିଆ ଏବଂ ଆଇଏଏସ୍ ଅଧିକାରୀ ଅରଭା ଗୋପୀ କ୍ରିଷ୍ଣାଙ୍କ ବାସଭବନରେ ସିବିଆଇ ଚଢ଼ାଉ କରିଥିଲା। ଏହାଛଡ଼ା ଏହି ମାମଲାରେ ଏହି ଜାତୀୟ ତଦନ୍ତ ସଂସ୍ଥା ଅନ୍ୟ ୧୯ଟି ସ୍ଥାନରେ ମଧ୍ୟ ଛାନଭିନ୍ କରିଥିଲା ।

ଗଣମାଧ୍ୟମକୁ ଉପମୁଖ୍ୟମନ୍ତ୍ରୀ ସିସୋଦିଆ କହିଛନ୍ତି ଯେ, ସେମାନେ ମୋ ପରିବାରକୁ କୌଣସି ଅସୁବିଧା କରି ନଥିବାରୁ ମୁଁ କୃତଜ୍ଞତା ଜଣାଉଛି। ସେମାନେ ଭଲ ଅଧିକାରୀ, କିନ୍ତୁ ଚଢ଼ାଉ କରିବାକୁ ସେମାନଙ୍କୁ ଉପରୁ ନିର୍ଦ୍ଦେଶ ଦିଆଯାଇଛି। ”

ସିସୋଦିଆ ଦାବି କରିଛନ୍ତି ଯେ ଏହି ଲୋକମାନେ (କେନ୍ଦ୍ର ସରକାର) ଘୋଟାଲା ଚିନ୍ତା ନାହିଁ । ଏହି ଲୋକଙ୍କ ଚିନ୍ତା କେବଳ ଅରବିନ୍ଦ କେଜ୍ରିୱାଲ, ଯାହାଙ୍କୁ ଜନସାଧାରଣ ଭଲ ପାଆନ୍ତି ଏବଂ ଯିଏ ‘ଜାତୀୟ ସ୍ତରରେ ବିକଳ୍ପ’ ଭାବରେ ଉଭା ହୋଇଛନ୍ତି ।