ଏଥର ବି ଦୀପାବଳିରେ ବାଣ ଫୁଟାଇ ପାରିବେନି ଦିଲ୍ଲୀବାସୀ, ଆପ୍ ସରକାର ଲଗାଇଲେ କଟକଣା | News Room Odisha

ଏଥର ବି ଦୀପାବଳିରେ ବାଣ ଫୁଟାଇ ପାରିବେନି ଦିଲ୍ଲୀବାସୀ, ଆପ୍ ସରକାର ଲଗାଇଲେ କଟକଣା

ନୂଆଦିଲ୍ଲୀ: ଚଳିତ ବର୍ଷ ବି ଦୀପାବଳିରେ ଦିଲ୍ଲୀବାସୀ ବାଣ ଫୁଟାଇ ପାରିବେନି । ଜାତୀୟ ରାଜଧାନୀରେ ସବୁ ପ୍ରକାର ବାଣ ତିଆରି, ବିକ୍ରୟ, ମହଜୁଦ ଏବଂ ବ୍ୟବହାର ଉପରେ କଟକଣା ଲଗାଇବାକୁ ଦିଲ୍ଲୀ ସରକାର ନିଷ୍ପତ୍ତି ନେଇଛନ୍ତି। ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ ସୋମବାର ଏହି ସୂଚନା ଦେଇଛନ୍ତି। ଏହି ନିଷେଧାଦେଶ କେବଳ ବାଣଫୁଟାରେ ସୀମିତ ରହିବ ନାହିଁ ବରଂ ବାଣ ବିକ୍ରି ଉପରେ ବି ଲାଗୁ ହେବ । ଗୋପାଳ ରାୟ କହିଛନ୍ତି, ପ୍ରଦୂଷଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ବାଣ ଫୁଟାଇବା ଉପରେ କଟକଣା ଲଗାଯାଇଛି । ବାଣ ବିକ୍ରି ପାଇଁ ମଧ୍ୟ କୌଣସି ଲାଇସେନ୍ସ ଦିଆଯିବ ନାହିଁ। ବାଣ ଉପରେ ବ୍ୟାନ ଲଗାଇବାକୁ ସେ ପଡୋଶୀ ରାଜ୍ୟମାନଙ୍କୁ ମଧ୍ୟ ଅପିଲ କରିଛନ୍ତି।

ମନ୍ତ୍ରୀ ଗୋପାଳ ରାୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ସହରରେ ଏହି କଟକଣା ଲାଗୁ କରିବା ପାଇଁ ଦିଲ୍ଲୀ ପୋଲିସକୁ କଡ଼ା ନିର୍ଦ୍ଦେଶ ଦିଆଯିବ। ଦିଲ୍ଲୀ ସରକାର କ୍ରମାଗତ ତୃତୀୟ ବର୍ଷ ବାଣ ଉପରେ କଟକଣା ଲଗାଇଛନ୍ତି। ଆପ୍ ସରକାର ଗତବର୍ଷ ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା ଲଗାଇଥିଲେ । ଏପରିକି ନିଷେଧାଦେଶ ଉଲ୍ଲଘଂନ ପାଇଁ ୬ ମାସ ପର୍ଯ୍ୟନ୍ତ ଜେଲଦଣ୍ଡ ଏବଂ ୨୦୦ ଟଙ୍କା ଜରିମାନା ବ୍ୟବସ୍ଥା କରିଥିଲେ ।