ଆରାଧ୍ୟା ବଚ୍ଚନଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଭିଡ଼ିଓ ହଟାଇବାକୁ ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ | News Room Odisha

ଆରାଧ୍ୟା ବଚ୍ଚନଙ୍କ ସମ୍ପର୍କରେ ବିଭ୍ରାନ୍ତିକର ଭିଡ଼ିଓ ହଟାଇବାକୁ ଗୁଗୁଲକୁ ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଅମିତାଭ ବଚ୍ଚନଙ୍କ ନାତୁଣୀ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ବିଭ୍ରାନ୍ତିକର ଭିଡ଼ିଓ ପ୍ରସାରଣ ଉପରେ ଦିଲ୍ଲୀ ହାଇକୋର୍ଟ ରୋକ୍ ଲଗାଇଛନ୍ତି । ହାଇକୋର୍ଟ ଗୁରୁବାର କିଛି ୟୁଟ୍ୟୁବ ଚ୍ୟାନେଲକୁ ଅଭିନେତା ଅଭିଷେକ ବଚ୍ଚନ ଏବଂ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ଝିଅ ଆରାଧ୍ୟା ବଚ୍ଚନଙ୍କ ସ୍ୱାସ୍ଥ୍ୟ ସହ ଜଡିତ ‘ଫେକ୍ ଭିଡ଼ିଓ’ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି ଯେ ଛୋଟ ପିଲାଙ୍କ ବିଷୟରେ ଭୁଲ ତଥ୍ୟ ପ୍ରସାର କରିବା ‘ରୁଗଣ ମାନସିକତା’ର ପରିଚାୟକ ।

ଆରାଧ୍ୟା ଓ ତାଙ୍କ ବାପା ଅଭିଷେକ ବଚ୍ଚନଙ୍କ ତରଫରୁ ଦାୟର ପିଟିସନର ଶୁଣାଣି କରି କୋର୍ଟ ଗୁଗୁଲକୁ ଏହାର ପ୍ଲାଟଫର୍ମରୁ ସେହି ସବୁ ଭିଡିଓ ହଟାଇବାକୁ ନିର୍ଦ୍ଦେଶ ଦେଇଛନ୍ତି, ଯେଉଁଥିରେ ଆରାଧ୍ୟା ବଚ୍ଚନ “ଗୁରୁତର ଅସୁସ୍ଥ” ଏବଂ “ଆଉ ନାହାଁନ୍ତି” ବୋଲି ଦାବି କରାଯାଇଛି । ଜଷ୍ଟିସ ସି ହରି ଶଙ୍କର କହିଛନ୍ତି ଯେ ସବୁ ଛୋଟପିଲାଙ୍କ ସହ ସମ୍ମାନ ଏବଂ ଗାରିମାପୂର୍ଣ୍ଣ ବ୍ୟବହାର କରାଯିବା ଉଚିତ । ସେମାନଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧରେ ଏଭଳି ବିଭ୍ରାନ୍ତିକର ସୂଚନା ପ୍ରସାର କରିବା ଆଇନରେ ଆଦୌ ଗ୍ରହଣୀୟ ନୁହେଁ” |

ଅଦାଲତ ଅନ୍ତରୀଣ ଆଦେଶରେ ଗୁଗୁଲକୁ ଭିଡିଓ ଅପଲୋଡରଙ୍କ ବିବରଣୀ ବିଷୟରେ ଅଭିଯୋଗକାରୀଙ୍କୁ ଜଣାଇବାକୁ ମଧ୍ୟ କହିଥିଲେ । ଏହାଛଡ଼ା ଯେତେବେଳେ ବି ଗୁଗୁଲର ନୋଟିସକୁ ଏପରି ଭିଡ଼ିଓ ଅଣାଯିବ ସେଗୁଡ଼ିକୁ ହଟାଯିବ ବୋଲି କୋର୍ଟ କହିଛନ୍ତି ।