ରତନ ଟାଟାଙ୍କୁ 'ଭାରତ ରତ୍ନ' ପ୍ରଦାନ ସଂକ୍ରାନ୍ତ ପିଟିସନର ଶୁଣାଣି କରିବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ | News Room Odisha

ରତନ ଟାଟାଙ୍କୁ ‘ଭାରତ ରତ୍ନ’ ପ୍ରଦାନ ସଂକ୍ରାନ୍ତ ପିଟିସନର ଶୁଣାଣି କରିବାକୁ ମନାକଲେ ଦିଲ୍ଲୀ ହାଇକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ହାଇକୋର୍ଟ ଗୁରୁବାର ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କୁ ଦେଶର ସର୍ବୋଚ୍ଚ ବେସାମରିକ ସମ୍ମାନ ‘ଭାରତ ରତ୍ନ’ ପ୍ରଦାନ ସଂକ୍ରାନ୍ତ ଏକ ଆବେଦନର ଶୁଣାଣି କରିବାକୁ ମନା କରି ଦେଇଛନ୍ତି।

ମୁଖ୍ୟ ବିଚାରପତି ଭିପିନ୍ ସାଙ୍ଘି ଏବଂ ଜଷ୍ଟିସ୍ ନବିନ ଚାୱଲାଙ୍କ ଏକ ଖଣ୍ଡପୀଠ କହିଛନ୍ତି ଯେ କୌଣସି ବ୍ୟକ୍ତିଙ୍କୁ ଏହି ସର୍ବୋଚ୍ଚ ବେସାମରିକ ସମ୍ମାନ ପ୍ରଦାନ କରିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେବା କୋର୍ଟଙ୍କ କାମ ନୁହେଁ।

କୋର୍ଟ କହିଛନ୍ତି, ଏହା କି ପ୍ରକାର ଆବେଦନ ? ଭାରତ ରତ୍ନ ହାକୁ ଦେବା ପାଇଁ ସରକାରଙ୍କୁ ନିର୍ଦ୍ଦେଶ ଦେବା କୋର୍ଟର କାମ କି?

ଏହି ପ୍ରସଙ୍ଗରେ ସରକାରଙ୍କୁ ଅନ୍ତତଃ ପକ୍ଷେ ଅନୁରୋଧ କରିବାକୁ ଆବେଦନକାରୀଙ୍କ ଓକିଲ କୋର୍ଟଙ୍କୁ ନିବେଦନ କରିଥିଲେ।

ତେବେ ମୁଖ୍ୟ ବିଚାରପତି କହିଥିଲେ, ଯାଆନ୍ତୁ, ଆପଣ (ଆବେଦନକାରୀ) ଅନୁରୋଧ କରନ୍ତୁ। ଏଥିରେ କୋର୍ଟଙ୍କ ହସ୍ତକ୍ଷେପ ପ୍ରଶ୍ନ ହିଁ ଉଠୁନି ।

କୋର୍ଟ ଏହି ଆବେଦନକୁ ଜରିମାନା ସହିତ ଖାରଜ କରିବେ ବୋଲି କହିବା ପରେ ଆବେଦନକାରୀଙ୍କ ଓକିଲ ଏହାକୁ ପ୍ରତ୍ୟାହାର କରି ନେଇଛନ୍ତି।

ଜଣେ ସାମାଜିକ କର୍ମୀ ବୋଲି ଦାବି କରୁଥିବା ଆବେଦନକାରୀ ରାକେଶ ଏହି ପିଟିସନ ଦାୟର କରିଥିଲେ । ସେ ଏଥିରେ ଯୁକ୍ତି କରିଥିଲେ ଯେ ରତନ ଟାଟା ଭାରତ ରତ୍ନ ପାଇବାକୁ ଯୋଗ୍ୟ । କାରଣ ସେ ରାଷ୍ଟ୍ରର ସେବା କରୁଛନ୍ତି ଏବଂ ସେ ଜଣେ ନିଷ୍କଳଙ୍କ ବ୍ୟକ୍ତି ।

ଆବେଦନକାରୀ କହିଥିଲେ ଯେ ରତନ ଟାଟା ଜଣେ ସର୍ବଶ୍ରେଷ୍ଠ ଉଦ୍ୟୋଗୀ ସାବ୍ୟସ୍ତ ହୋଇଛନ୍ତି ଏବଂ ବିଶ୍ୱର ଯୁବକମାନଙ୍କୁ ଅନୁପ୍ରାଣିତ କରିଛନ୍ତି ।