ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ସିସୋଦିଆ, ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା | News Room Odisha

ଦିଲ୍ଲୀ ମନ୍ତ୍ରିମଣ୍ଡଳରୁ ସିସୋଦିଆ, ସତ୍ୟେନ୍ଦ୍ର ଜୈନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଓ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଉଭୟଙ୍କ ଇସ୍ତଫା ଗ୍ରହଣ କରିଛନ୍ତି।

ମଦ ଦୁର୍ନୀତି ମାମଲାରେ ସିସୋଦିଆଙ୍କୁ ସିବିଆଇ ରବିବାର ଗିରଫ କରିଥିଲା । ଅନ୍ୟପକ୍ଷରେ ମନି ଲଣ୍ଡରିଂ ମାମଲାରେ ଜୈନ ଗତବର୍ଷ ଗିରଫ ହୋଇଥିଲେ । ସେ ସମ୍ପ୍ରତି ତିହାର ଜେଲରେ ଅଛନ୍ତି ।

ଏହା ପୂର୍ବରୁ ସୁପ୍ରିମକୋର୍ଟ ମଙ୍ଗଳବାର ମନୀଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣିବାକୁ ମନା କରିଦେଇଥିଲେ ଏବଂ ତାଙ୍କୁ ହାଇକୋର୍ଟ ଯିବାକୁ କହିଥିଲେ।

ମନି ଲଣ୍ଡରିଂ ମାମଲାରେ ଜୁନ୍ ୨୦୨୨ରେ ଇଡି କେଜ୍ରିୱାଲ ସରକାରଙ୍କ ଅନ୍ୟତମ ପ୍ରଭାବଶାଳୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈଙ୍କୁ ଗିରଫ କରିଥିଲା। ଜୈନଙ୍କ ପାଖରେ ଦିଲ୍ଲୀର ଗୃହ ଏବଂ ସ୍ୱାସ୍ଥ୍ୟ ବିଭାଗ ବ୍ୟତୀତ ଶକ୍ତି, ପିଡବ୍ଲ୍ୟୁଡି, ଶିଳ୍ପ, ସହରୀ ବିକାଶ, ଜଳସେଚନ ଏବଂ ଜଳ ସମ୍ପଦ ଭଳି ବିଭାଗ ଥିଲା।

ଦିଲ୍ଲୀର ଶକୁର ବସ୍ତିର ବିଧାୟକ ଜୈନ ଆମ୍ ଆଦମୀ ପାର୍ଟିର ଅନ୍ୟତମ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଘନିଷ୍ଠ ସହଯୋଗୀ।