କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ, ବିନେଶ କହିଲେ ଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି | News Room Odisha

କୁସ୍ତିଯୋଦ୍ଧାଙ୍କ ବିରୋଧରେ ମାମଲା ରୁଜୁ କଲା ଦିଲ୍ଲୀ ପୋଲିସ, ବିନେଶ କହିଲେ ଦେଶରେ ଏକଛତ୍ରବାଦୀ ଶାସନ ଚାଲିଛି

ନୂଆଦିଲ୍ଲୀ: ଜନ୍ତର ମନ୍ତରରେ ରବିବାର ପୋଲିସ୍ ସହ ଧସ୍ତାଧସ୍ତି ଘଟଣା ନେଇ ଦିଲ୍ଲୀ ପୋଲିସ ଆଇପିସିର ବିଭିନ୍ନ ଦଫା ଅନୁଯାୟୀ ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ବିନେଶ ଫୋଗାଟ ଏବଂ ସଂଗୀତ ଫୋଗାଟଙ୍କ ଭଳି ଷ୍ଟାର କୁସ୍ତିଯୋଦ୍ଧାଙ୍କ ବିରୋଧରେ ଏତଲା ରୁଜୁ କରିଛି ।

ନୂଆ ସଂସଦ ଭବନ ଆଡକୁ ଯିବାବେଳେ ବିନେଶ ଫୋଗାଟ, ସାକ୍ଷୀ ମଲିକ, ବଜରଙ୍ଗ ପୁନିଆ, ସଂଗୀତା ଫୋଗାଟ ସହ ଅନ୍ୟ କୁସ୍ତିଯୋଦ୍ଧାମାନଙ୍କୁ ଦିଲ୍ଲୀ ପୋଲିସ ରବିବାର ହେପାଜତକୁ ନେଇଥିଲା। ଏହି ସମୟରେ କୁସ୍ତିଯୋଦ୍ଧା ଓ ପୋଲିସ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଏହାଛଡ଼ା ପୋଲିସ ଜନ୍ତର ମନ୍ତରରେ କୁସ୍ତି ଖେଳାଳିଙ୍କ ବିକ୍ଷୋଭ ସ୍ଥଳରୁ ତମ୍ବୁ ଏବଂ ଅନ୍ୟାନ୍ୟ ଜିନିଷ ହଟାଇ ଖାଲି କରିଥିଲା | ତେବେ ଗତକାଲି ବିଳମ୍ବିତ ରାତିରେ ବିନେଶ ଫୋଗଟ୍ ଓ ସଂଗୀତା ଫୋଗଟଙ୍କୁ ପୋଲିସ ଛାଡ଼ି ଦେଇଥିବା ବେଳେ ବଜରଙ୍ଗ ପୁନିଆଙ୍କୁ ମୁକ୍ତ କରାଯାଇ ନାହିଁ। ସାକ୍ଷୀ ମଲିକଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ |

ଏହି ସମୟରେ ଅଲିମ୍ପିକ୍ ଚାମ୍ପିୟନ ନୀରଜ ଚୋପ୍ରା, ସାକ୍ଷୀ ମଲିକଙ୍କ ଏକ ଭିଡିଓ ରିଟ୍ୱିଟ କରି ଲେଖିଛନ୍ତି, ‘ଏହା ଦେଖି ମୁଁ ବହୁତ ଦୁଃଖିତ। ଆହୁରି ଉତ୍ତମ ଉପାୟରେ ଏହାର ସମାଧାନ ହେବା ଉଚିତ। ନୀରଜ ଚୋପ୍ରା ପୂର୍ବରୁ ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ସାରିଛନ୍ତି ‌।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ୍ ପଠାନ୍ ମଧ୍ୟ ଟୁଇଟ୍ କରି ଏହି ମାମଲାର ଶୀଘ୍ର ସମାଧାନ କରିବାକୁ ଦାବି କରିଛନ୍ତି। ସେ ଲେଖିଛନ୍ତି, ‘ଆମ ଆଥଲେଟ୍ ମାନଙ୍କ ସହ ଏପରି ବ୍ୟବହାର ଦେଖି ମୁଁ ବହୁତ ଦୁଃଖିତ ….।”

ସାକ୍ଷୀ ମଲିକ ଟ୍ୱିଟରରେ ସେୟାର କରିଥିବା ଭିଡିଓରେ ଦିଲ୍ଲୀ ପୋଲିସ କୁସ୍ତି ଖେଳାଳିମାନଙ୍କ ଉପରେ ବଳ ପ୍ରୟୋଗ କରୁଥିବା ଦେଖିବାକୁ ମିଳିଛି। ଏହାପୂର୍ବରୁ ସାକ୍ଷୀ ମଲିକ ଟ୍ୱିଟ୍ କରି ସ୍ପଷ୍ଟ କରିଥିଲେ ଯେ ସେମାନଙ୍କ ଆନ୍ଦୋଳନ ଶେଷ ହୋଇନାହିଁ। ସାକ୍ଷୀ ଲେଖିଥିଲେ, ‘ଆମର ଆନ୍ଦୋଳନ ଶେଷ ହୋଇନାହିଁ | ପୋଲିସ୍ ହେପାଜତରୁ ମୁକ୍ତ ହେବା ପରେ, ଆମେ ଆମର ସତ୍ୟଗ୍ରାହ ଜନ୍ତର ମନ୍ତରରେ ଆରମ୍ଭ କରିବୁ । ଏହି ଦେଶରେ ଏକଛତ୍ରବାଦୀ ଶାସନ ନୁହେଁ, ମହିଳା କୁସ୍ତିଯୋଦ୍ଧାଙ୍କ ସତ୍ୟଗ୍ରାହ ଚାଲିବ।

ଏଫ୍ଆଇଆର୍ ରୁଜୁ ନେଇ ନୋଟିସ୍ ଆସିବା ପରେ ବିନେଶ ଫୋଗେଟ୍ ଟ୍ୱିଟ୍ କରି କହିଛନ୍ତି, ‘ଦିଲ୍ଲୀ ପୋଲିସ ବ୍ରିଜ ଭୂଷଣଙ୍କ ବିରୋଧରେ ଏତଲା ରୁଜୁ କରିବାକୁ ୭ ଦିନ ସମୟ ନେଇଥିଲା, କିନ୍ତୁ ଆମ ବିରୋଧରେ ଏଫ୍ଆଇଆର୍ ରୁଜୁ କରିବାକୁ ୭ ଘଣ୍ଟା ମଧ୍ୟ ନେଇ ନଥିଲା। । ଏହି ଦେଶରେ ଏକଛତ୍ରବାଦୀ ଶାସନ ଆରମ୍ଭ ହୋଇଯାଇଛି କି? ସରକାର ତାଙ୍କ ଖେଳାଳିଙ୍କ ପ୍ରତି କିପରି ବ୍ୟବହାର କରୁଛନ୍ତି ତାହା ସମଗ୍ର ବିଶ୍ୱ ଦେଖୁଛି। ଏକ ନୂଆ ଇତିହାସ ଲେଖାଯାଉଛି |