ଲୋକସଭାରେ ଦିଲ୍ଲୀ ସେବା ବିଲ୍ ଉପସ୍ଥାପନ କଲା କେନ୍ଦ୍ର, ବିରୋଧୀ କହିଲେ ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର | News Room Odisha

ଲୋକସଭାରେ ଦିଲ୍ଲୀ ସେବା ବିଲ୍ ଉପସ୍ଥାପନ କଲା କେନ୍ଦ୍ର, ବିରୋଧୀ କହିଲେ ସମ୍ବିଧାନକୁ ଦୁର୍ବଳ କରୁଛନ୍ତି ସରକାର

ନୂଆଦିଲ୍ଲୀ: ପ୍ରଶାସନିକ ଅଧିକାରୀଙ୍କ ବଦଳି ଏବଂ ପୋଷ୍ଟିଂ ସମ୍ପର୍କିତ ଦିଲ୍ଲୀ ସେବା ବିଲକୁ ମଙ୍ଗଳବାର ଲୋକସଭାରେ ଉପସ୍ଥାପନ କରିଛନ୍ତି କେନ୍ଦ୍ର ସରକାର । ଗୃହମନ୍ତ୍ରୀ ଅମିତ ଶାହଙ୍କ ନାମରେ କେନ୍ଦ୍ର ମନ୍ତ୍ରୀ ନିତ୍ୟାନନ୍ଦ ରାୟ ଏହି ବିଲ୍ ଉପସ୍ଥାପନ କରିଥିଲେ । ଏହି ବିଲ୍ ଆଗତ ହେବା କ୍ଷଣି ଗୃହରେ ବିରୋଧୀଙ୍କ ହୋହଲ୍ଲା ଆରମ୍ଭ ହୋଇଯାଇଥିଲା। ଫଳରେ ଗୃହକୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ବିରୋଧୀମାନେ ଏହି ବିଲକୁ ତୀବ୍ର ବିରୋଧ କରିଥିଲେ।

ଅମିତ ଶାହା କହିଛନ୍ତି ଯେ ଏହି ବିଲକୁ ବିରୋଧ କେବଳ ରାଜନୈତିକ । ଏପରି ବିରୋଧର କିଛି ସାମ୍ବିଧାନିକ ଆଧାର ନାହିଁ। ତେଣୁ ଏହି ବିଲ୍ ଆଗତ ହେବାକୁ ଅନୁମତି ଦିଆଯିବା ଉଚିତ୍। ଅମିତ ଶାହା ଆହୁରି କହିଥିଲେ ଯେ ଗୃହର ଆଇନ ତିଆରି କରିବାର ଅଧିକାର ଅଛି। ଦ୍ୱିତୀୟତଃ, ସୁପ୍ରିମକୋର୍ଟ ମଧ୍ୟ ତାଙ୍କ ଆଦେଶରେ କହିଥିଲେ ଯେ ଯଦି କେନ୍ଦ୍ର ସରକାର ଠିକ୍ ବୋଲି ଭାବୁଛନ୍ତି ତେବେ ଏହା (ଅଧିକାରୀଙ୍କ ବଦଳି ଓ ପୋଷ୍ଟିଂ) ଉପରେ ଆଇନ ଆଣିପାରିବେ ‌ ।

ବିରୋଧୀ ଦଳର ନେତା ଅଧୀର ରଞ୍ଜନ ଚୌଧୁରୀ ଏହି ବିଲକୁ ବିରୋଧ କରି କହିଛନ୍ତି, କେନ୍ଦ୍ର ସରକାର ସମ୍ବିଧାନକୁ ଦୁର୍ବଳ କରୁଛନ୍ତି। ଦିଲ୍ଲୀ ସରକାରଙ୍କ ଅଧିକାର କ୍ଷେତ୍ର କମାଇବା ପାଇଁ ଏହା ଏକ ହୀନ ପ୍ରୟାସ । ସେ କହିଛନ୍ତି ଯେ ଏହି ବିଲ୍ ସୁପ୍ରିମକୋର୍ଟଙ୍କ ରାୟର ବିରୋଧାଭାସ।

ଅନ୍ୟପକ୍ଷରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓଓ୍ବେସୀ ମଧ୍ୟ ଏହି ବିଲକୁ ବିରୋଧ କରି କହିଛନ୍ତି, ଏହି ବିଲ୍ ପ୍ରଣୟନ କରାଯିବା ଉଚିତ କି ନୁହେଁ ତାହା ଉପରେ ଭୋଟିଂ ହେବ ଉଚିତ୍। ଏହି ସମୟରେ ଓଓ୍ବେସୀ ବିରୋଧୀ ଦଳଙ୍କ ଉପରେ କଟାକ୍ଷ କରି କହିଥିଲେ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ସେମାନେ ପ୍ରଧାନମନ୍ତ୍ରୀ ନ ଆସିଲେ ଗୃହ ଚଳାଇ ଦେବୁନି ବୋଲି କହୁଥିଲେ , କିନ୍ତୁ ଏବେ ସେମାନେ ଗୃହ ଚଳାଇବାକୁ ରାଜି ହୋଇଗଲେ ।

ଦିଲ୍ଲୀର ଶାସକ ଆମ୍ ଆଦମୀ ପାର୍ଟି ଏହି ବିଲକୁ ବିରୋଧ କରୁଛି ଓ ଏଥିପାଇଁ ବିରୋଧୀ ଦଳଙ୍କ ସମର୍ଥନ ମଧ୍ୟ ଲୋଡିଛି। କଂଗ୍ରେସ, ଜେଡିୟୁ ସମେତ ଅନେକ ଦଳ ଏହି ବିଲକୁ ବିରୋଧ କରିବେ ବୋଲି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ପୂର୍ବରୁ ଏହି ମାମଲାରେ ଏକ ଅଧ୍ୟାଦେଶ ଜାରି କରିଥିଲେ । ଏହା ବିରୋଧରେ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲା । ଏହି ମାମଲାକୁ ପାଞ୍ଚ ଜଣିଆ ବିଚାରପତିଙ୍କ ସମ୍ବିଧାନ ପୀଠକୁ ପଠାଇଥିଲେ କୋର୍ଟ ‌।