ଦୀପାବଳିର ଦିନକ ପରେ ଦିଲ୍ଲୀର ବାୟୁର ମାନ 'ଗମ୍ଭୀର' | News Room Odisha

ଦୀପାବଳିର ଦିନକ ପରେ ଦିଲ୍ଲୀର ବାୟୁର ମାନ ‘ଗମ୍ଭୀର’

ନୂଆଦିଲ୍ଲୀ: ଦୀପାବଳିର ଦିନକ ପରେ ଦିଲ୍ଲୀର ଏୟାର କ୍ୱାଲିଟି ଇଣ୍ଡେକ୍ସ ତଥା ବାୟୁର ମାନ (ଏକ୍ୟୁଆଇ) ବିଗିଡ଼ିଛି । ଏହା ‘ଗମ୍ଭୀର’ ସ୍ତରରେ ପହଞ୍ଚିଛି। ପ୍ରଦୂଷଣ ମିଟର (ପିଏମ୍) ୨.୫ର ସାନ୍ଧ୍ରତା ସକାଳେ ଦିଲ୍ଲୀର ଜନପଥ ଅଞ୍ଚଳରେ ୬୫୫.୦୭ ରହିଛି | କଟକଣା ସତ୍ତ୍ୱେ ଦିଲ୍ଲୀ-ଏନସିଆରରେ ଅଞ୍ଚଳରେ ଗୁରୁବାର ଦୀପାବଳି ଅବସରରେ ବହୁ ସମୟ ଧରି ବାଣ ଫୁଟା ଯାଇଥିଲା ।

ଆଜି କୁହୁଡ଼ିର ଏକ ଘନ ଆସ୍ତରଣ ଦିଲ୍ଲୀର ଆକାଶକୁ ଆଚ୍ଛାଦିତ କରି ରଖିଥିବା ଦେଖିବାକୁ ମିଳିଛି | ଏଠାରେ ଅନେକ ଲୋକ ଗଳା ଖରାପ ଏବଂ ଆଖି ଜଳୁଥିବା ଅଭିଯୋଗ କରିଛନ୍ତି।

କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ରାଜଧାନୀର ହାରାହାରି ଏକ୍ୟୁଆଇ ଗୁରୁବାର ଦିନ ୩୮୨ ରେ ପହଞ୍ଚିଥିଲା, ଯାହା ବୁଧବାର ଅପେକ୍ଷା ଅଧିକ ଥିଲା। ମଙ୍ଗଳବାର ଦିନ ଏହା ୩୦୨ ଏବଂ ସୋମବାର ୨୮୧ ଥିଲା | ‘ସଫର’ ର ପୂର୍ବାନୁମାନ ଅନୁଯାୟୀ, ଦିଲ୍ଲୀର ପ୍ରଦୂଷଣ ସ୍ତରରେ ନଡ଼ା ଜଳାଯିବାର ଅବଦାନ ଶୁକ୍ରବାର ଦିନ ୩୫% ଏବଂ ଶନିବାର ୪୦% କୁ ବୃଦ୍ଧି ପାଇପାରେ। ପଞ୍ଜାବ ଏବଂ ହରିୟାଣାରେ ଚାଷୀମାନେ ନଡ଼ା ଜାଳିବା କାରଣରୁ ଉତ୍ତର-ପଶ୍ଚିମ ପବନ ଦିଲ୍ଲୀ ଆଡ଼କୁ ଧୂଆଁ ଆଣିପାରେ | ସଫର ଅନୁଯାୟୀ, କେବଳ ନଭେମ୍ବର ୭ ସନ୍ଧ୍ୟା ସୁଦ୍ଧା ପ୍ରଦୂଷଣ ସ୍ତରରେ କିଛି ଆରାମ ମିଳିବ ବୋଲି ଆଶା କରାଯାଉଛି |