ଦେଶରେ ବ୍ୟାପୁଛି ଡେଙ୍ଗୁ, ୯ ରାଜ୍ୟରେ ସ୍ଥିତି ଚିନ୍ତାଜନକ, କେନ୍ଦ୍ରୀୟ ଟିମ୍ ପଠାଇଲେ ସରକାର | News Room Odisha

ଦେଶରେ ବ୍ୟାପୁଛି ଡେଙ୍ଗୁ, ୯ ରାଜ୍ୟରେ ସ୍ଥିତି ଚିନ୍ତାଜନକ, କେନ୍ଦ୍ରୀୟ ଟିମ୍ ପଠାଇଲେ ସରକାର

ନୂଆଦିଲ୍ଲୀ: କରୋନା ପରେ ଏବେ ଦେଶରେ ଡେଙ୍ଗୁ ବ୍ୟାପିବାରେ ଲାଗିଛି। ଏପରିକି ଅନେକ ରାଜ୍ୟରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଗଲାଣି। ଏଭଳି ସ୍ଥିତିରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳକୁ କେନ୍ଦ୍ରୀୟ ଦଳ ପଠାଇଛି। ଏହି ବିଶେଷଜ୍ଞ ଦଳ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ଡେଙ୍ଗୁ ସଂକ୍ରମଣ ରୋକିବା ଦିଗରେ ସହାୟତା କରିବେ। ଏଥିପାଇଁ ଏହି ନଅଟି ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବମାନଙ୍କୁ ମଧ୍ୟ ଚିଠି ମାଧ୍ୟମରେ ବିଶେଷଜ୍ଞ ଦଳ ପଠାଇବା ନିଷ୍ପତ୍ତି ସମ୍ପର୍କରେ ଅବଗତ କରାଯାଇଛି। ଏହି ଟିମରେ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର ଏବଂ ମଶା ଜନିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅଧିକାରୀମାନେ ଅଛନ୍ତି।

କେନ୍ଦ୍ର ସରକାର ହରିୟାଣା, ପଞ୍ଜାବ, କେରଳ, ରାଜସ୍ଥାନ, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରପ୍ରଦେଶ, ଦିଲ୍ଲୀ, ଜାମ୍ମୁ କାଶ୍ମୀରକୁ ବିଶେଷଜ୍ଞ ଦଳ ପଠାଇଛନ୍ତି । ଏହି ସବୁ ରାଜ୍ୟରେ ବହୁ ସଂଖ୍ୟକ ଡେଙ୍ଗୁ ରୋଗର ମାମଲା ରିପୋର୍ଟ କରାଯାଉଛି।

ଚଳିତ ବର୍ଷ ଦେଶର ରାଜଧାନୀ ଦିଲ୍ଲୀରେ ୧୫୩୦ ଡେଙ୍ଗୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଏଥିମଧ୍ୟରୁ କେବଳ ଅକ୍ଟୋବରରେ ୧୨୦୦ ମାମଲା ରିପୋର୍ଟ କରାଯାଇଛି, ଯାହା ଗତ ଚାରି ବର୍ଷ ମଧ୍ୟରେ ସର୍ବାଧିକ।