ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ବିଏମସି କମିଶନର, ସଚେତନତା ଉପରେ ଗୁରୁତ୍ଵ | News Room Odisha

ଡେଙ୍ଗୁ ନିୟନ୍ତ୍ରଣ କାର୍ଯ୍ୟକ୍ରମର ସମୀକ୍ଷା କଲେ ବିଏମସି କମିଶନର, ସଚେତନତା ଉପରେ ଗୁରୁତ୍ଵ

ଭୁବନେଶ୍ବର: ଭୁବନେଶ୍ୱର ମହାନଗର ନିଗମ (ବିଏମସି) ଅଞ୍ଚଳରେ ଡେଙ୍ଗୁ ନିୟନ୍ତ୍ରଣ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି କମିଶନର । ବିଏମ୍‌ସି ମୁଖ୍ୟାଳୟରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରି କମିଶନର ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି ଯେ, ଡେଙ୍ଗୁ ନିୟନ୍ତ୍ରଣ କରିବା ପାଇଁ ନିଆଯାଇଥିବା ପଦକ୍ଷେପକୁ ଅଧିକ ଗତିଶୀଳ କରାଇବା ଦରକାର ।

ଏହି ବୈଠକରେ ବିଏମସିର ଅତିରିକ୍ତ କମିଶନର ସୂର୍ଯ୍ୟବଂଶୀ ମୟୂର ବିକାଶ , ଶୁଭେନ୍ଦୁ କୁମାର ସାହୁ , ଡେପୁଟି କମିଶନର ଡକ୍ଟର ମନୋରଂଜନ ସାହୁ , ସମସ୍ତ ଜୋନାଲ ଡେପୁଟି କମିଶନର , ଏଡିୟୁପିଏଚ୍‌ଓ ଡାକ୍ତର ଅନ୍ତର୍ଯ୍ୟାମୀ ମିଶ୍ର ଏବଂ ସିଏଚ୍ଓ ଡାକ୍ତର ଦୀପକ କୁମାର ବିଶୋଇ, ସମସ୍ତ ପିଏଚ୍‌ସି ଓ ସିଏଚ୍‌ସିର ମେଡିକାଲ ଅଫିସର , ସିଟି ହେଲଥ ମ୍ୟାନେଜର ପ୍ରମୁଖ ଉପସ୍ଥିତ ଥିଲେ।

ସ୍ଥିତି ସମୀକ୍ଷାରୁ ଜଣାପଡିଛି ଯେ, କି ଚଳିତ ବର୍ଷ ଅଧିକ ରକ୍ତ ନମୁନା ପରୀକ୍ଷା କରାଯାଇଛି । ଅଗଷ୍ଟ ୧୪ ତାରିଖ ସୁଦ୍ଧା ବିଏମ୍‌ସି ଅଂଚଳରୁ ୧୦ ହଜାର ୨୮୮ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ ସେଥିରୁ ୧୧୬୪ ଜଣଙ୍କଠାରେ ଡେଙ୍ଗୁ ପଜିଟିଭ ଥିବା ଚିହ୍ନଟ କରାଯାଇଛି । ଯାହାକି ଟେଷ୍ଟ ପଜିଟିଭ ରେଟ ଚଳିତ ବର୍ଷ ପ୍ରାୟ ୧୧ ପ୍ରତିଶତ ଥିବା ବେଳେ ପୂର୍ବ ଦୁଇ ବର୍ଷ ତୁଳନାରେ ଏହା କମ୍ ବୋଲି ଜଣାପଡିଛି । ୨୦୨୨ରେ ଏହା ୧୯ ଏବଂ ୨୦୨୧ରେ ଏହା ୨୪ ପ୍ରତିଶତ ରହିଥିଲା ।
ଚଳିତ ମାସ ୧୪ ତାରିଖ ସୁଦ୍ଧା ଚିହ୍ନଟ ଡେଙ୍ଗୁ ପଜିଟିଭଙ୍କ ମଧ୍ୟରୁ ୪୭୧ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ବେଳେ ୪୨୧ ଜଣ ସଂପୂର୍ଣ୍ଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବେ ଡାକ୍ତରଖାନାରେ ମାତ୍ର ୫୦ ଜଣ ରୋଗୀ ଚିକିତ୍ସାଧିନ ଅଛନ୍ତି।
ବୈଠକରେ ଡେଙ୍ଗୁକୁ ନିୟନ୍ତ୍ରଣ କରିବା ପାଇଁ ବିଏମ୍‌ସି ପକ୍ଷରୁ ନିଆଯାଇଥିବା ପଦକ୍ଷେପ ଯଥା ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ କରିବା ଏବଂ ସେଗୁଡିକୁ ନଷ୍ଟ କରିବା , ମଶା ତେଲ , ମଶା ଧୂଆଁ , ଘାସ କଟା ଆଦି କାମକୁ ବ୍ୟାପକ କରାଇବା ସହ ତଥ୍ୟ ଉପସ୍ଥାପନା କରାଯାଇଥିଲା ।

ମୁଖ୍ୟତଃ ଶିକ୍ଷାନୁଷ୍ଠାନଗୁଡିକରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇବାକୁ କମିଶନର ଗୁରୁତ୍ୱାରୋପ କରିଛନ୍ତି ।
୩୩ ହଜାର ମଶା ଲାର୍ଭା ଉତ୍ସକୁ ନଷ୍ଟ କରିଦିଆଯାଇଛି । ଏହା ସାଙ୍ଗକୁ ୨୫ ଗାଡି ଅବ୍ୟବହୃତ ଟାୟାର ବିଭିନ୍ନ ସ୍ଥାନରୁ ସଂଗ୍ରହ ହୋଇଛି ଏବଂ ବୁଶ୍ କଟିଂକୁ ଜୋରଦାର କରାଯାଇଛି । ଦୈନିକ ମଶାତେଲ ଏବଂ ମଶା ଧୂଆଁ ଚିହ୍ନିତ ସ୍ଥାନଗୁଡିକରେ ପ୍ରୟୋଗ କରାଯାଉଛି ।

ଘର ଘର ସଂପର୍କକୁ ଜୋରଦାର କରିବା ପାଇଁ ବିଏମ୍‌ସି କମିଶନର ନିର୍ଦେଶ ଦେଇଛନ୍ତି । ହଟ ଅଂଚଳରେ ସ୍ଥାନୀୟ ଡାକ୍ତର , ସ୍ୱାସ୍ଥ୍ୟକର୍ମୀ , ଟିମ୍ ସାଇନ , ସ୍ବଚ୍ଛସାଥୀ ପ୍ରମୁଖ ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା କାର୍ଯ୍ୟ ଚାଲୁ ରହିଥିବାବେଳେ , ସ୍ବଚ୍ଛସାଥୀ, ଆଶା କର୍ମୀ ଏବଂ ଅଙ୍ଗନୱାଡି କର୍ମୀମାନେ ମିଶି ଏହାକୁ ଜୋରଦାର କରିବା ସହ ସ୍ଥାନୀୟ କର୍ପୋରେଟରଙ୍କ ସହଯୋଗ ଲୋଡିବାପାଇଁ କହିଛନ୍ତି କମିଶନର । ଆସନ୍ତା ୧୫ ଦିନ ସବୁଠାରୁ ଗୁରୁତ୍ବପୂର୍ଣ୍ଣ । ତେଣୁ ମଶା ଉତ୍ପତ୍ତିସ୍ଥଳ ଚିହ୍ନଟ ଓ ସେଗୁଡିକୁ ନଷ୍ଟ କରିବା ପ୍ରକ୍ରିୟାକୁ ଆହୁରି ଗତିଶୀଳ କରିବାକୁ ସେ ପରାମର୍ଶ ଦେଇଛନ୍ତି । ଏପରିକି ଜୋନାଲ ଡେପୁଟି କମିଶନରମାନେ ମଧ୍ୟ ନିଜର କ୍ଷେତ୍ର ଭ୍ରମଣରେ ଏହି କାର୍ଯ୍ୟକ୍ରମ ରଖିବାକୁ କୁହାଯାଇଛି । ସ୍ଥାନୀୟ ଡାକ୍ତରମାନଙ୍କ କ୍ଷେତ୍ରଭ୍ରମଣକୁ ଉତ୍ସାହିତ କରିଛନ୍ତି କର୍ତ୍ତୃପକ୍ଷ । ଏହାଦ୍ୱାରା ଆମର ଶିକ୍ଷା ସୂଚନା ଓ ଯୋଗାଯୋଗ କାର୍ଯ୍ୟକ୍ରମ ଦୃଢ଼ ହୋଇପାରିବ ଏବଂ ଗୋଷ୍ଠୀ ସହଭାଗୀତା ବଢ଼ିବ ବୋଲି କୁହାଯାଇଛି ।