ଇସ୍ରୋକୁ ୫୦୦ କୋଟିର ଚୂନ ଲଗାଇଥିବା 'ଦେବାସ୍' ସିଇଓ ରାମଚନ୍ଦ୍ରନ ବିଶ୍ଵନାଥନ ପଳାତକ ଘୋଷିତ | News Room Odisha

ଇସ୍ରୋକୁ ୫୦୦ କୋଟିର ଚୂନ ଲଗାଇଥିବା ‘ଦେବାସ୍’ ସିଇଓ ରାମଚନ୍ଦ୍ରନ ବିଶ୍ଵନାଥନ ପଳାତକ ଘୋଷିତ

ବେଙ୍ଗାଲୁରୁ: ବେଙ୍ଗାଲୁରୁର ଏକ ସ୍ୱତନ୍ତ୍ର କୋର୍ଟ ଦେବାସ୍ ମଲ୍ଟିମିଡିଆ ପିଭି ଲିମିଟେଡର ସିଇଓ ରାମଚନ୍ଦ୍ରନ ବିଶ୍ୱନାଥନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ (ଏଫ୍ଇଓ) ଘୋଷିତ କରିଛନ୍ତି।

ମନି ଲଣ୍ଡରିଂ ଆକ୍ଟ ଅଧୀନରେ ଇଡି ତରଫରୁ ବିଶ୍ଵନାଥନଙ୍କ ସହ ୯ ଜଣ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

୨୦୧୮ର ଏହି ମାମଲାରେ ଏହି ସମସ୍ତ ଅଭିଯୁକ୍ତ ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ର ବାଣିଜ୍ୟିକ ଶାଖା ଆଣ୍ଟ୍ରିକ୍ସ କର୍ପୋରେସନ୍ ଠାରୁ ପ୍ରାପ୍ତ ୫୭୯ କୋଟି ଟଙ୍କା ମଧ୍ୟରୁ ୮୫ ପ୍ରତିଶତ ଅର୍ଥ ବେଆଇନ ଭାବେ ଆମେରିକା ପଠାଇଥିବା ଅଭିଯୋଗ ହୋଇଥିଲା ।

ଦୁର୍ଗମ ଅଞ୍ଚଳରେ ମଲ୍ଟିମିଡିଆ ସେବା ଯୋଗାଇବା ପାଇଁ ଦେବାସ ସହ ସରକାର ଚୁକ୍ତି କରିଥିଲେ । ତେବେ ୨୦୧୧ ମସିହାରେ ସରକାର ଏହି ଚୁକ୍ତି ବାତିଲ କରିଦେଇଥିଲେ।

୨୦୨୧ ମସିହାରେ ଜାତୀୟ କମ୍ପାନୀ ଆଇନ ଟ୍ରିବ୍ୟୁନାଲଙ୍କ ନିର୍ଦ୍ଦେଶରେ ଦେବାସ ମଲ୍ଟିମିଡ଼ିଆକୁ ବନ୍ଦ କରାଯାଇଥିଲା |

ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ଏବଂ ପରେ ଇଡି ପୃଥକ ମାମଲା ରୁଜୁ କରିଥିଲା। ବିଶ୍ୱନାଥନ୍ ଏହି ମାମଲାର ଦ୍ୱିତୀୟ ଅଭିଯୁକ୍ତ।

କୋର୍ଟ ବିଶ୍ଵନାଥନଙ୍କୁ ପଳାତକ ଅର୍ଥନୈତିକ ଅପରାଧୀ ଘୋଷଣା କରିବା ସହ ତାଙ୍କ ସମ୍ପତ୍ତି ଜବତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ ବିଶ୍ୱନାଥନଙ୍କୁ ସମନ ଜାରି କରାଯାଇଥିଲେ ମଧ୍ୟ ସେ ହାଜର ହୋଇନଥିଲେ । ତାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରାଯାଇଥିଲା। ଏହି ୱାରେଣ୍ଟ ଏପର୍ଯ୍ୟନ୍ତ ରଦ୍ଦ ହୋଇନାହିଁ | ତେଣୁ ପଳାତକ ଅର୍ଥନୈତିକ ଅପରାଧୀ ଅଧିନିୟମର ଧାରା ୨(ଏଫ୍) ର ବିଶ୍ୱନାଥନଙ୍କ କ୍ଷେତ୍ରରେ ସ୍ପଷ୍ଟ ଲାଗୁ ହୋଇଛି ବୋଲି କୋର୍ଟ କହିଛନ୍ତି।