ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇପାରନ୍ତି ଧାୱନ | News Room Odisha

ଏସୀୟ କ୍ରୀଡ଼ାରେ ଭାରତୀୟ କ୍ରିକେଟ୍ ଦଳର ନେତୃତ୍ବ ନେଇପାରନ୍ତି ଧାୱନ

ନୂଆଦିଲ୍ଲୀ:ସେପ୍ଟେମ୍ବର-ଅକ୍ଟୋବରରେ ହାଙ୍ଗଝୁରେ ହେବାକୁ ଥିବା ଏସିଆନ୍ ଗେମ୍ସ ପାଇଁ ବିସିସିଆଇ ପୁରୁଷ ଏବଂ ମହିଳା ଦଳ ପଠାଇବାକୁ ନିଷ୍ପତ୍ତି ନେଇଛି। ଏହି ମଲ୍ଟି ସ୍ପୋର୍ଟସ୍ ଇଭେଣ୍ଟ ଓ ଦିନିକିଆ ବିଶ୍ୱକପ୍ ସମାନ ସମୟରେ ହେଉଥିବାରୁ ବିସିସିଆଇ ହାଙ୍ଗଝୁକୁ ପୁରୁଷ ‘ବି’ ଦଳ ଏବଂ ମହିଳା ଏ’ ଦଳ ପଠାଇବ | ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଏସୀୟ କ୍ରୀଡ଼ା ପାଇଁ ଶିଖର ଧାୱନଙ୍କୁ ଭାରତୀୟ ପୁରୁଷ ଦଳର କ୍ୟାପଟେନ ଦାୟିତ୍ବ ଦିଆଯାଇପାରେ । ଶେଷ ଥର ପାଇଁ ୨୦୧୪ରେ ଏସିଆନ୍ ଗେମ୍ସରେ କ୍ରିକେଟକୁ ସାମିଲ କରାଯାଇଥିଲା | ନଅ ବର୍ଷ ପୂର୍ବେ ଅନୁଷ୍ଠିତ ସେହି ସଂସ୍କରଣରେ ଭାରତୀୟ ଦଳ ଅଂଶଗ୍ରହଣ କରିନଥିଲେ।

ଶିଖର ଧାୱନ ୧୦ ଡିସେମ୍ବର ୨୦୨୨ରେ ଭାରତ ପାଇଁ ତାଙ୍କର ଶେଷ ମ୍ୟାଚ୍ ଖେଳିଥିଲେ। ସେବେଠାରୁ ସେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳି ନାହାଁନ୍ତି। ତେବେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୩ରେ ତାଙ୍କର ପ୍ରଦର୍ଶନ ଭଲ ଥିଲା | ଆଇପିଏଲ୍ ୨୦୨୩ରେ ସେ ୧୧ଟି ମ୍ୟାଚରେ ହାରାହାରି ୪୧.୪୪ ଏବଂ ୧୪୧.୯୧ ଷ୍ଟ୍ରାଇକ ହାରରେ ସ୍କୋର କରିଥିଲେ। ତାଙ୍କର ସର୍ବାଧିକ ସ୍କୋର ଥିଲା ଅପରାଜିତ ୯୯ ରନ୍।

ଆଇପିଏଲରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟ୍ସମ୍ୟାନଙ୍କ ତାଲିକାରେ ବିରାଟ କୋହଲିଙ୍କ ପରେ ଶିଖର ଧାୱନ ଦ୍ୱିତୀୟ ସ୍ଥାନରେ ଅଛନ୍ତି। ସେ ହାରାହାରି ୩୫.୩୯ ଏବଂ ଷ୍ଟ୍ରାଇକ୍ ରେଟ୍ ୧୨୭.୧୮ରେ ୨୧୭ ମ୍ୟାଚରେ ୬୬୧୭ ରନ୍ ସଂଗ୍ରହ କରିଛନ୍ତି | ଶୀର୍ଷରେ ଥିବା ବିରାଟ କୋହଲି ୨୩୭ଟି ମ୍ୟାଚରେ ୭୨୬୩ ରନ୍ କରିଛନ୍ତି।

ଶିଖର ଧାୱନ ପୂର୍ବରୁ ମଧ୍ୟ ଭାରତୀୟ ଦଳର ନେତୃତ୍ଵ ନେଇଛନ୍ତି। ଜୁନ୍ ୨୦୨୧ରେ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଏବଂ ଟି-୨୦ ଆନ୍ତର୍ଜାତୀୟ ସିରିଜ୍ ପାଇଁ ତାଙ୍କୁ ପ୍ରଥମେ ବି’ ଦଳର ନେତୃତ୍ଵ ଦିଆଯାଇଥିଲା | ଜୁଲାଇ ୨୦୨୨ରେ ସେ ୱେଷ୍ଟଇଣ୍ଡିଜ ବିପକ୍ଷ ଦିନିକିଆ ସିରିଜରେ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ସେ ଗତ ଆଇପିଏଲରେ ପଞ୍ଜାବ କିଙ୍ଗ୍ସର ଅଧିନାୟକ ଥିଲେ ।

ଶିଖର ଧାୱନ ଏପର୍ଯ୍ୟନ୍ତ ଭାରତ ପାଇଁ ୩୪ଟି ଟେଷ୍ଟ, ୧୬୭ଟି ଦିନିକିଆ ଏବଂ ୬୮ ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ଏହି ତିନି ଫର୍ମାଟରେ ସେ ହାରାହାରି ୪୦.୬୧ ଆଭରେଜ୍ ୨୩୧୫ ରନ୍, ୪୪.୧୧ ଆଭରେଜରେ ୬୭୯୩ ରନ୍, ୨୭.୯୨ ଆଭରେଜରେ ୧୭୫୯ ରନ୍ କରିଛନ୍ତି। ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପୂର୍ବରୁ ଶତକ ହାସଲ କରିବାରେ ଶିଖର ଧାୱନ ହେଉଛନ୍ତି ଏକମାତ୍ର ଭାରତୀୟ ଏବଂ ଷଷ୍ଠ ବ୍ୟାଟ୍ସମ୍ୟାନ୍। ସେ ଜୁନ୍ ୨୦୧୮ରେ ଆଫଗାନିସ୍ତାନ ବିପକ୍ଷରେ ଏହି ସଫଳତା ହାସଲ କରିଥିଲେ |