ବିବାଦରେ ଧୋନିଙ୍କ ଆଇପିଏଲ୍ ବିଜ୍ଞାପନ, ଟିଭି ପରଦାରୁ ହଟିବ | News Room Odisha

ବିବାଦରେ ଧୋନିଙ୍କ ଆଇପିଏଲ୍ ବିଜ୍ଞାପନ, ଟିଭି ପରଦାରୁ ହଟିବ

ନୂଆଦିଲ୍ଲୀ: ଆଇପିଏଲ୍ ଉପରେ ମହେନ୍ଦ୍ର ସିଂ ଧୋନିଙ୍କ ଏକ ପ୍ରମୋସନାଲ ବିଜ୍ଞାପନକୁ ନେଇ ବିବାଦ ସୃଷ୍ଟି ହୋଇଛି। ଏହି ବିଜ୍ଞାପନକୁ ହଟାଇବାକୁ ଦି ଆଡଭର୍ଟାଇଜିଂ ଷ୍ଟାଣ୍ଡାର୍ଡ କାଉନସିଲ୍ ଅଫ୍ ଇଣ୍ଡିଆ (ASCI) ଆଇପିଏଲ୍ କର୍ତ୍ତୃପକ୍ଷଙ୍କୁ କହିଛି। ଏହି ବିଜ୍ଞାପନକୁ ନେଇ ସଡ଼କ ସୁରକ୍ଷା ସଂଗଠନର ଅଭିଯୋଗ ପରେ ASCI ଏହି ନିର୍ଦ୍ଦେଶ ଦେଇଛି। ଏହି ଅଭିଯୋଗରେ କୁହାଯାଇଛି ଯେ ଏହି ବିଜ୍ଞାପନ ଟ୍ରାଫିକ ନିୟମର ଉଲ୍ଲଂଘନକୁ ପ୍ରୋତ୍ସାହିତ କରୁଛି।

ବିଜ୍ଞାପନ ବିରୋଧରେ ଏକ ଉପଭୋକ୍ତା ସଂଗଠନ ‘କଂଜ୍ୟୁମର ୟୁନିଟି ଆଣ୍ଡ୍ ଟ୍ରଷ୍ଟ ସୋସାଇଟି (CUTS) ତରଫରୁ ଅଭିଯୋଗ ହୋଇଥିଲା। ଏହି ବିଜ୍ଞାପନରେ ଧୋନିଙ୍କୁ ବସ୍ ଡ୍ରାଇଭର ଭୂମିକାରେ ଦେଖିବାକୁ ମିଳୁଛି | ସେ ଏକ ବ୍ୟସ୍ତବହୁଳ ରାସ୍ତା ମଝିରେ ହଠାତ୍ ବସକୁ ରଖି ଦେଉଛନ୍ତି | ଏହାପରେ ଜଣେ ଟ୍ରାଫିକ ପୋଲିସ୍ ସେଠାରେ ପହଞ୍ଚି ଧୋନିଙ୍କୁ ଏଠି କାହିଁକି ବସ୍ ରଖିଲ ବୋଲି ପଚାରୁଛନ୍ତି । ଏହାର ଉତ୍ତରରେ ଧୋନି କହୁଛନ୍ତି ଯେ ସେ ଆଇପିଏଲ୍ ସୁପର ଓଭର ଦେଖୁଛନ୍ତି | ଆଇପିଏଲ୍ ସମୟରେ ଏହା ଏକ ସ୍ବାଭାବିକ କଥା ବୋଲି ମନେ କରି ଟ୍ରାଫିକ୍ ପୋଲିସ୍ ସେଠାରୁ ଚାଲିଯାଉଛନ୍ତି |

ଏହି ବିଜ୍ଞାପନ ନେଇ ଅଭିଯୋଗ ପରେ ASCI ହସ୍ତକ୍ଷେପ କରିଛି | ଏହା ସହିତ ଗ୍ରାହକ ଅଭିଯୋଗ କମିଟି (ସିସିସି) ସଦସ୍ୟମାନେ ଏହି ବିଜ୍ଞାପନ ପ୍ରସ୍ତୁତ କରିଥିବା କମ୍ପାନୀର ପ୍ରତିନିଧିମାନଙ୍କ ସହିତ ବସି ଏହି ବିଜ୍ଞାପନ ଦେଖିଥିଲେ | ASCI ସ୍ବୀକାର କରିଛି ଯେ ଏହା ବିଜ୍ଞାପନ ନିୟମର ଉଲ୍ଲଂଘନ । ଏପ୍ରିଲ୍ ୨୦ ସୁଦ୍ଧା ଏହି ବିଜ୍ଞାପନକୁ ଅପସାରଣ କିମ୍ବା ଏଥିରେ ପରିବର୍ତ୍ତନ କରିବାକୁ କମ୍ପାନୀକୁ ନିର୍ଦ୍ଦେଶ ଦିଆଯାଇଛି। କମ୍ପାନ ବିଜ୍ଞାପନକୁ ହଟାଇବ ବୋଲି ଲିଖିତ ଆକାରରେ ପ୍ରତିଶ୍ରୁତି ଦେଇଛି |