ନୂଆ ସଂସଦ ଭବନର ଡିଜାଇନ୍ ସୋମାଲିଆର ପୁରୁଣା ସଂସଦର କପି ! ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଲେ ଦିଗବିଜୟ | News Room Odisha

ନୂଆ ସଂସଦ ଭବନର ଡିଜାଇନ୍ ସୋମାଲିଆର ପୁରୁଣା ସଂସଦର କପି ! ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘେରିଲେ ଦିଗବିଜୟ

ନୂଆଦିଲ୍ଲୀ: ଉଦଘାଟନ ପରେ ବି ନୂଆ ସଂସଦ ଗୃହକୁ ନେଇ ଥମୁନି ବିବାଦ । କଂଗ୍ରେସ ନେତା ଦିଗବିଜୟ ସିଂହଙ୍କ ଏକ ଦାବି ନୂଆ ବିବାଦକୁ ଜନ୍ମ ଦେଇଛି । ନୂଆ ସଂସଦ ଭବନର ଡିଜାଇନ୍ ଆଫ୍ରିକୀୟ ଦେଶ ସୋମାଲିଆର ପୁରୁଣା ସଂସଦରୁ କପି କରାଯାଇଛି ବୋଲି ଦିଗବିଜୟ ଦାବି କରିଛନ୍ତି ।

ଟିଏମସି ସାଂସଦ ଜବାହାର ସର୍କାରଙ୍କ ଏକ ଟ୍ୱିଟକୁ ରିଟ୍ୱିଟ କରି କଂଗ୍ରେସ ସାଂସଦ ଦିଗବିଜୟ ସିଂହ ଲେଖିଛନ୍ତି, “ଆପଣ କ’ଣ ଏହା ବିଶ୍ୱାସ କରିପାରିବେ?

ସୋମାଲିଆ ରିଜେକ୍ଟ କରିଥିବା ସଂସଦ ଗୃହ ଡିଜାଇନ୍ ଆମ ପ୍ରଧାନମନ୍ତ୍ରୀଙ୍କ ପାଇଁ ପାଲଟିଛି ପ୍ରେରଣା ।”

ଏହାଛଡ଼ା ନୂଆ ସଂସଦ ଭବନର ଡିଜାଇନ କରିଥିବା ଆର୍କିଟେକ୍ଟଙ୍କୁ ‘କପିକ୍ୟାଟ୍’ ବୋଲି କହି ତାଙ୍କ ଠାରୁ ୨୩୦ କୋଟି ଟଙ୍କା ଆଦାୟ କରିବାକୁ ଦାବି କରିଛନ୍ତି ଦିଗବିଜୟ ।

ତୃଣମୂଳ କଂଗ୍ରେସ ରାଜ୍ୟସଭା ସାଂସଦ ଜବାହାର ସର୍କାର ସୋମବାର (ମେ ୨୯) ଏକ ଟୁଇଟ୍ କରି ଦାବି କରିଥିଲେ ଯେ ମୋଦୀଙ୍କ ପାଳିତ ଗୁଜରାଟର ଜଣେ ଆର୍କିଟେକ୍ଟ ସୋମାଲିଆର ପୁରୁଣା ସଂସଦର ଡିଜାଇନକୁ ନକଲ କରି ୨୩୦ କୋଟି ଟଙ୍କା ପାଉଣା ଚାର୍ଜ କରିଛନ୍ତି । ଜବାହର ସର୍କାର କହିଥିଲେ, “ସୋମାଲିଆ ଏହାର ପୁରୁଣା ସଂସଦକୁ ଅଗ୍ରାହ୍ୟ କରିଥିଲା, ଏହା କିନ୍ତୁ ନୂଆ ଭାରତର ପ୍ରେରଣା ସାଜିଛି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର (ମେ ୨୮) ନୂଆ ସଂସଦ ଭବନକୁ ବଡ଼ ଆଡ଼ମ୍ବର ସହକାରେ ଉଦଘାଟନ କରିଥିଲେ । ଏହି ସମୟରେ ଲୋକସଭାର ବାଚସ୍ପତିଙ୍କ ଆସନ ନିକଟରେ ତାମିଲନାଡୁରୁ ଅଣାଯାଇଥିବା ଐତିହାସିକ ସେଙ୍ଗୋଲ ବା ରାଜଦଣ୍ଡକୁ ସ୍ଥାପନ କରାଯାଇଥିଲା। ତେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଦ୍ବାରା ଉଦଘାଟନ ଦାବି କରି କଂଗ୍ରେସ ସହ ୨୧ ବିରୋଧୀ ଦଳ ନୂଆ ସଂସଦ ଭବନର ଲୋକାର୍ପଣ ଉତ୍ସବକୁ ବର୍ଜନ କରିଥିଲେ ।