ଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାର୍ତ୍ତିକ | News Room Odisha

ଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କଲେ କାର୍ତ୍ତିକ

ଚେନ୍ନାଇ: ଭାରତୀୟ କ୍ରିକେଟର ଦୀନେଶ କାର୍ତ୍ତିକ ଶନିବାର ତାଙ୍କ ୩୯ତମ ଜନ୍ମଦିନରେ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ‘ଏକ୍ସ’ରେ ନିଜ ଅବସର ଘୋଷଣା କରି କାର୍ତ୍ତିକ ସମର୍ଥନ ଏବଂ ଭଲପାଇବା ପାଇଁ ପ୍ରଶଂସକମାନଙ୍କୁ ଧନ୍ୟବାଦ ଜଣାଉଛି।

ଗତ କିଛି ଦିନ ଧରି ଚିନ୍ତା କରିବା ପରେ ମୁଁ କ୍ରିକେଟ୍ ଖେଳରୁ ଆଗକୁ ବଢ଼ିବାକୁ ନିଷ୍ପତ୍ତି ନେଇଛି। ମୁଁ ମୋର ଅବସର ଘୋଷଣା କରୁଛି । ମୁଁ ଜୀବନର ଆଗାମୀ ଚ୍ୟାଲେଞ୍ଜ ଉପରେ ଧ୍ୟାନ ଦେବି ।

ଏହି ଯାତ୍ରାକୁ ରୋମାଞ୍ଚକ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ମୋର ସମସ୍ତ କୋଚ୍, ଅଧିନାୟକ, ଚୟନକର୍ତ୍ତା ଏବଂ ସାଥୀ ଖେଳାଳିଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହେଁ। ମୁଁ ନିଜକୁ ଭାଗ୍ୟବାନ ମନେ କରୁଛି ଯେ ଯେଉଁଠି କୋଟି କୋଟି ଲୋକ କ୍ରିକେଟ୍ ଖେଳନ୍ତି, ସେହି ଦେଶ ପାଇଁ ଖେଳିବାକୁ ସୁଯୋଗ ପାଇଲି ।

ଦୀନେଶ କାର୍ତ୍ତିକ ନିଜ ପିତାମାତାଙ୍କୁ ତାଙ୍କ ବଳ ବୋଲି ଅଭିହିତ କରି କହିଛନ୍ତି ସେମାନଙ୍କ ସମର୍ଥନ ବିନା ଏହା (କ୍ରିକେଟ୍ ଖେଳିବା) ସମ୍ଭବ ହୋଇନଥାନ୍ତା | ସେ ତାଙ୍କ ପତ୍ନୀ ଦୀପିକାଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।

ଦୀନେଶ କାର୍ତ୍ତିକ ତାଙ୍କ ଶେଷ ମ୍ୟାଚ୍ ଆଇପିଏଲରେ ଗତ ମେ ୨୨ରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଖେଳିଥିଲେ । ସେ ଏହି ଟୁର୍ଣ୍ଣାମେଣ୍ଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି) ପାଇଁ ଖେଳୁଥିଲେ।

କାର୍ତ୍ତିକ ଭାରତ ପାଇଁ ୨୬ଟି ଟେଷ୍ଟ, ୯୪ ଦିନିକିଆ ଏବଂ ୬୦ ଟି-୨୦ ମ୍ୟାଚ ଖେଳିଛନ୍ତି । ଏହାଛଡ଼ା କାର୍ତ୍ତିକ ଆଇପିଏଲରେ ବିଭିନ୍ନ ଦଳ ପାଇଁ ୨୫୭ ମ୍ୟାଚ୍ ଖେଳିଥିଲେ।