କ୍ରସ୍ ପିନ୍ଧିଲେ କିମ୍ବା ଚର୍ଚକୁ ଗଲେ ଏସସି ସାର୍ଟିଫିକେଟ୍ ରଦ୍ଦ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ | News Room Odisha

କ୍ରସ୍ ପିନ୍ଧିଲେ କିମ୍ବା ଚର୍ଚକୁ ଗଲେ ଏସସି ସାର୍ଟିଫିକେଟ୍ ରଦ୍ଦ କରାଯାଇପାରିବ ନାହିଁ: ମାଡ୍ରାସ ହାଇକୋର୍ଟ

ଚେନ୍ନାଇ: କ୍ରସ୍ କିମ୍ବା ଅନ୍ୟାନ୍ୟ ଧାର୍ମିକ ପ୍ରତୀକ ଏବଂ ପ୍ରଥା ପ୍ରଦର୍ଶନ କଲେ ଜଣେ ଦଳିତଙ୍କ ଅନୁସୂଚିତ ଜାତି (ଏସସି) ସାର୍ଟିଫିକେଟ୍ ବାତିଲ ହୋଇପାରିବ ନାହିଁ। ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାଡ୍ରାସ ହାଇକୋର୍ଟ ଏହା କହିଛନ୍ତି ।

ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ଏବଂ ଜଷ୍ଟିସ୍ ଏମ ଦୁରାଇସ୍ୱାମୀଙ୍କ ଖଣ୍ଡପୀଠ ରାମନାଥପୁରମର ଜଣେ ମହିଳା ଡାକ୍ତରଙ୍କ ଦ୍ବାରା ଦାଖଲ ହୋଇଥିବା ଏକ ଆବେଦନ ଶୁଣାଣି କରି କହିଛନ୍ତି ଯେ ସେ ଜଣେ ଖ୍ରୀଷ୍ଟିଆନଙ୍କୁ ବିବାହ କରି ତାଙ୍କ କ୍ଲିନିକରେ କ୍ରସ୍ ରଖିବା ଦ୍ବାରା ସେ ଖ୍ରୀଷ୍ଟିଆନ ଧର୍ମ ଗ୍ରହଣ କରିଛନ୍ତି ବୋଲି ଧରିନେବା ଠିକ୍ ନୁହେଁ ।

ପ୍ରଧାନ ବିଚାରପତି କହିଛନ୍ତି, “ଏହା ସମ୍ଭବ ଯେ ଆବେଦନକାରୀ ତାଙ୍କ ସ୍ୱାମୀ ଏବଂ ପିଲାମାନଙ୍କ ସହିତ ରବିବାର ଦିନ ପ୍ରାର୍ଥନା ପାଇଁ ଚର୍ଚ୍ଚକୁ ଯାଇଥିବେ, କିନ୍ତୁ ଜଣେ ବ୍ୟକ୍ତି ଚର୍ଚ୍ଚକୁ ଆସିବା ଅର୍ଥ ନୁହେଁ ଯେ ସେ ତାଙ୍କର ମୂଳ ଧର୍ମକୁ ସଂପୂର୍ଣ୍ଣ ତ୍ୟାଗ କରିଛନ୍ତି।” ଅଧିକାରୀଙ୍କ ଏହି ଯୁକ୍ତି ସେମାନଙ୍କର ସଂକୀର୍ଣ୍ଣ ମନୋଭାବକୁ ଦର୍ଶାଉଛି ବୋଲି କୋର୍ଟ କହିଛନ୍ତି ।

କୋର୍ଟ କହିଛନ୍ତି ଯେ କର୍ତ୍ତୃପକ୍ଷ କୌଣସି ପ୍ରମାଣ ବିନା ନିଷ୍ପତ୍ତି ନେଇ ଆବେଦନକାରୀଙ୍କ ଜାତି ପ୍ରମାଣପତ୍ର ବାତିଲ କରିଛନ୍ତି। କୋର୍ଟ ଉକ୍ତ ଆଦେଶକୁ ବାତିଲ କରି ଆବେଦନକାରୀଙ୍କ ଏସସି ପ୍ରମାଣପତ୍ରକୁ ପୁନଃ ବାହାଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।