ଇଡବ୍ଲୁଏସ୍ କୋଟା ରାୟ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କଲା ଡିଏମକେ | News Room Odisha

ଇଡବ୍ଲୁଏସ୍ କୋଟା ରାୟ ବିରୋଧରେ ପୁନର୍ବିଚାର ଆବେଦନ ଦାଖଲ କଲା ଡିଏମକେ

ନୂଆଦିଲ୍ଲୀ: ଆର୍ଥିକ ଦୁର୍ବଳ ଶ୍ରେଣୀ (ଇଡବ୍ଲୁଏସ୍) ପାଇଁ କୋଟା ଜାରି ରଖିବାକୁ ସୁପ୍ରିମକୋର୍ଟର ସାମ୍ବିଧାନିକ ବେଞ୍ଚର ରାୟ ବିରୋଧରେ ତାମିଲନାଡୁର ଶାସକ ଦଳ ଡିଏମକେ ପୁନର୍ବିଚାର ଆବେଦନ ଦାଖଲ କରିଛି। ଡିଏମକେର ରାଜ୍ୟସଭା ସାଂସଦ ତଥା ବରିଷ୍ଠ ଓକିଲ ଭି ୱିଲସନ ଏହି ସୂଚନା ଦେଇଛନ୍ତି ।‌

ସୁପ୍ରିମକୋର୍ଟର ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ନଭେମ୍ବର ୭ରେ ଇଡବ୍ଲୁଏସ୍ କୋଟା ଅନୁଯାୟୀ ସରକାରୀ ଚାକିରି ଓ ଉଚ୍ଚଶିକ୍ଷାରେ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ କାଏମ ରଖିଥିଲେ ।

ତତ୍କାଳୀନ ପ୍ରଧାନ ବିଚାରପତି ୟୁୟୁ ଲଲିତଙ୍କ ଅଧ୍ୟକ୍ଷତାରେ ଏକ ପାଞ୍ଚ ଜଣିଆ ଖଣ୍ଡପୀଠ ଇଡବ୍ଲୁଏସ୍ କୋଟା ସପକ୍ଷରେ ୩:୨ ବହୁମତ ଆଧାରରେ ରାୟ ଦେଇଥିଲେ । ଖଣ୍ଡପୀଠ କହିଥିଲେ ଯେ ସାଧାରଣ ବର୍ଗର ଆର୍ଥିକ ଦୁର୍ବଳ ଲୋକଙ୍କ ପାଇଁ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିବାକୁ ୧୦୩ତମ ସାମ୍ବିଧାନିକ ସଂଶୋଧନ ବୈଧ ।