ବାଙ୍ଗାଲୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡିଏମକେ ବିଧାୟକଙ୍କ ପୁଅ-ବୋହୂଙ୍କ ସହ ୭ ମୃତ | News Room Odisha

ବାଙ୍ଗାଲୁରୁରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଡିଏମକେ ବିଧାୟକଙ୍କ ପୁଅ-ବୋହୂଙ୍କ ସହ ୭ ମୃତ

ବେଙ୍ଗାଲୁରୁ: ବାଙ୍ଗାଲୋରର କୋରାମଙ୍ଗାଲାରେ ଗତକାଲି ରାତିରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଅଡି କାର ଦ୍ରୁତ ଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ର ଏକ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେବା ଫଳରେ କାରରେ ଥିବା ସମସ୍ତ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲ ନେବା ବାଟରେ ଆଉ ଜଣଙ୍କର ମୃତ୍ୟୁ ହୋଇଥିଲା।

ଦୁର୍ଘଟଣାଗ୍ରସ୍ତ ଅଡି କ୍ୟୁ୩ କାର୍ ହୋସୁର ଡିଏମକେ ବିଧାୟକ ଓ୍ବାଇ ପ୍ରକାଶଙ୍କର ବୋଲି ଜଣାପଡିଛି । ଦୁର୍ଘଟଣାରେ ବିଧାୟକଙ୍କ ପୁଅ ଓ ବୋହୂଙ୍କର ମୃତ୍ୟୁ ହୋଇଛି।

କାର୍‌‌ର ବେଗ ଏତେ ଅଧିକ ଥିଲା ଯେ ବିଦ୍ୟୁତ ଖୁଣ୍ଟିକୁ ଧକ୍କା ଦେବା ପରେ କାରଟି ଖଣ୍ଡେ ଦୂର ପର୍ଯ୍ୟନ୍ତ ଲେଉଟି ଯାଇ ଏକ କାନ୍ଥରେ ବାଡେଇ ହୋଇଯାଇଥିଲା । କାରରେ ଥିବା ସମସ୍ତ ଲୋକ ପରସ୍ପରର ସମ୍ପର୍କୀୟ ଥିଲେ, ଯେଉଁମାନେ ବାଙ୍ଗାଲୋରରେ ରହୁଥିଲେ | ସେମାନଙ୍କ ମଧ୍ୟରେ ତିନିଜଣ ମହିଳା ଏବଂ ଚାରି ଜଣ ପୁରୁଷ ଥିଲେ। ସମସ୍ତଙ୍କର ବୟସ ୨୦-୩୦ ବର୍ଷ ହେବ ବୋଲି କୁହାଯାଇଛି।

ଏହି ଦୁର୍ଘଟଣା ନେଇ ଆଡଗୁରି ଟ୍ରାଫିକ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଘଟଣାର ତଦନ୍ତ ଚାଲିଛି। ଦୁର୍ଘଟଣାଗ୍ରସ୍ତ କାରର ଡ୍ରାଇଭର ମଦ୍ୟପାନ କରିଥିଲା କି ନାହିଁ ତାହା ମଧ୍ୟ ଯାଞ୍ଚ୍ କରାଯାଉଛି। ରାସ୍ତାଟି ସମ୍ପୂର୍ଣ୍ଣ ଖାଲି ଥିବାରୁ ଅନ୍ୟ ଗାଡି ନଥିଲା | ବେପରୁଆ, ଦ୍ରୁତ ଗତିରେ ଗାଡି ଚଳାଇବା ଯୋଗୁଁ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି। ଡ୍ରାଇଭର ବହୁତ ଦ୍ରୁତ ଗତିରେ ଗାଡି ଚଳାଉଥିଲା, ଯେଉଁଥିପାଇଁ ସେ ଭାରସାମ୍ୟ ହରାଇ ବିଦ୍ୟୁତ୍ ଖୁଣ୍ଟିକୁ ଧକ୍କା ଦେଇଥିଲା ।