ଆଜି ଦ୍ୱିତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି | News Room Odisha

ଆଜି ଦ୍ୱିତୀୟ ଦିନିକିଆ, ଭାରତ ପାଇଁ କର ବା ମର ସ୍ଥିତି

ପାର୍ଲ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଶୁକ୍ରବାର ବୋଲାଣ୍ଡ ପାର୍କରେ ଖେଳାଯିବ । ପ୍ରଥମ ଦିନିକିଆ ହାରିବା ତିନି ମ୍ୟାଚ୍ ବିଶିଷ୍ଟ ସିରିଜରେ ୦-୧ରେ ପଛୁଆ ରହିଥିବା ଭାରତ କର ବା ମର ସ୍ଥିତିର ସମ୍ମୁଖୀନ ହୋଇଛି । ସିରିଜକୁ ଉଜ୍ଜୀବିତ ରଖିବାକୁ ହେଲେ ଭାରତ ଦ୍ୱିତୀୟ ଦିନିକିଆକୁ ଜିତିବା ଜରୁରୀ ହୋଇପଡ଼ିଛି । ପ୍ରଥମ ମ୍ୟାଚରେ ଫ୍ଲ୍‌ଫ୍ ଶୋ’ ପରେ ବ୍ୟାଟ୍ସମ୍ୟାନଙ୍କ ଠାରୁ ଉନ୍ନତ ପ୍ରଦର୍ଶନର ଆଶା କରାଯାଉଛି । ଅଧିନାୟକ ଭାବେ କେଏଲ ରାହୁଲଙ୍କ ପାଇଁ ମଧ୍ୟ ଅବଶିଷ୍ଟ ଦୁଇଟି ମ୍ୟାଚ୍ ସମ୍ମାନର ପ୍ରଶ୍ନ ହୋଇଛି । ପ୍ରଥମ ଦିନିକିଆରେ ତାଙ୍କର କେତୋଟି ନିଷ୍ପତ୍ତି ଉପରେ ଅଙ୍ଗୁୁଳି ଉଠିଥିଲା । ଯଦି ସେ ପୂର୍ଣ୍ଣକାଳୀନ ଅଧିନାୟକ ହେବାକୁ ଇଚ୍ଛୁକ ତେବେ ଏହି ସିରିଜ୍ ତାଙ୍କ ପାଇଁ ଏକ ପ୍ରାଥମିକ ପରୀକ୍ଷା ସଦୃଶ ।

ଭାରତ ପ୍ରଥମ ଦିନିକିଆରେ ୩୧ ରନରେ ପରାସ୍ତ ହୋଇଥିଲା । ଉକ୍ତ ମ୍ୟାଚରେ ରାହୁଲଙ୍କ ଅଧିନାୟକତ୍ୱ ମଧ୍ୟ ପ୍ରଭାବହୀନ ହୋଇଥିଲା । ଦକ୍ଷିଣ ଆଫ୍ରିକାର ଇନିଂସ୍ ବେଳେ ସେ ଏପରି କେତୋଟି ଭୁଲ ନିଷ୍ପତ୍ତି ନେଇଥିଲେ, ଯାହା ଦଳକୁ ମହଙ୍ଗା ପଡ଼ିଥିଲା । ବ୍ୟାଟ୍ସମ୍ୟାନ୍ ଭାବେ ମଧ୍ୟ ସେ ସଫଳ ହୋଇପାରିନଥିଲେ । ସବୁ ବିଭାଗରେ ଭାରତକୁ ପଛରେ ପକାଇ ଦକ୍ଷିଣ ଆଫ୍ରିକା ଏକ ଚମତ୍କାର ବିଜୟ ହାସଲ କରିଥିଲା ।

ଭାରତର ମୁଖ୍ୟ ସମସ୍ୟା ହେଲା ମଧ୍ୟକ୍ରମ ବ୍ୟାଟିଂ । ବିରାଟ କୋହଲିଙ୍କ ଅଧିନାୟକତ୍ୱ କାଳରୁ ଏହି ସମସ୍ୟା ଭାରତ ପାଇଁ ଏକ ବଡ଼ ମୁଣ୍ଡବ୍ୟଥାର କାରଣ ହୋଇଛି । ଏହି ସମସ୍ୟାର ସ୍ଥାୟୀ ସମାଧାନ ବାହାର କରିବାରେ ଭାରତୀୟ ଦଳ ବିଫଳ ହୋଇଛି । ପ୍ରଥମ ମ୍ୟାଚରେ ଏହି ସମସ୍ୟା ଭାରତର ପରାଜୟର କାରଣ ହୋଇଥିଲା । ଦୀର୍ଘ ଦିନର ବ୍ୟବଧାନ ପରେ ଦଳକୁ ଫେରି ଶିଖର ଧାୱନ ଏକ ଆକର୍ଷଣୀୟ ଅର୍ଦ୍ଧଶତକ ହାସଲ କରିଥିବା ବେଳେ କୋହଲି ମଧ୍ୟ ଉପଯୋଗୀ ୫୧ ରନ୍ କରିଥିଲେ । ଉଭୟ କ୍ରିଜରେ ଥିବାବେଳେ ଭାରତ ବିଜୟଲକ୍ଷ୍ୟରେ ପହଞ୍ଚିଯିବ ବୋଲି ଆଶା କରାଯାଉଥିଲା । ହେଲେ ଏହି ଦୁଇ ସିନିୟର ବ୍ୟାଟ୍ସମ୍ୟାନ୍ ଆଉଟ୍ ହୋଇଯିବା ପର ଦଳର ମିଡିଲ ଅର୍ଡର ତାସ୍ ର ଘର ପରି ଭୁଶୁଡ଼ି ପଡ଼ିଥିଲା । ଭାରତକୁ ଉଭୟ କୌଶଳ ଓ ଦକ୍ଷତାରେ ମାତ ୍ ଦେଇଥିଲା ଭାରତ । ଏଠାରେ ହିଁ ରାହୁଲଙ୍କ ନେତୃତ୍ୱ ଦକ୍ଷତାର ପ୍ରଶ୍ନ ଉଠୁଛି ।

ପ୍ରଥମ ଦିନିକିଆରେ ଷଷ୍ଠ ବୋଲର ଭାବେ ଯୁବ ଅଲରାଉଣ୍ଡର ଭେଙ୍କଟେଶ ଆୟରଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା । ହେଲେ ରାହୁଲ ତାଙ୍କୁ ବୋଲିଂ କରିବାକୁ ଆଦୌ ସୁଯୋଗ ଦେଇନଥିଲେ । ଚହଲ ଓ ଠାକୁରଙ୍କୁ ତେମ୍ବା ବାଭୁମା ଓ ଭାନ ଡର ଡୁସେନ୍ ପ୍ରହାର କରୁଥିବା ବେଳେ ରାହୁଲ କାହିଁକି ଆୟରଙ୍କୁ କିଛି ଓଭର ବୋଲିଂ କରିବାକୁ ଦେଲେ ନାହିଁ ସେନେଇ ବିଶେଷଜ୍ଞ ପ୍ରଶ୍ନ କରିଛନ୍ତି । ଯଦି ଆୟରଙ୍କୁ ସ୍ପେଶାଲିଷ୍ଟ ବ୍ୟାଟ୍ସମ୍ୟାନ୍ ଭାବେ ଷଷ୍ଠ ନମ୍ବରରେ ଖେଳାଯାଇଥିଲା, ତେବେ ତାଙ୍କ ଅପେକ୍ଷା ଅଭିଜ୍ଞ ସୂର୍ଯ୍ୟକୁମାର ଯାଦବଙ୍କୁ କାହିଁକି ବାଦ୍ ଦିଆଯାଇଥିଲା । ଆଉ ଏକ ପ୍ରଶ୍ନ ହେଲା ଚହଲ ଓ ଅଶ୍ୱିନଙ୍କ ବିପକ୍ଷରେ ବାଭୁମା-ଡୁସେନ୍ ରିଭର୍ସ ସୁଇପ୍ ଦ୍ୱାରା ଅନାୟସେ ରନ୍ ସଂଗ୍ରହ କରୁଥିବା ବେଳେ ଏହି ଦୁଇ ବୋଲରଙ୍କ ସହ ରାହୁଲ କଥା ହୋଇଥିଲେ କି ନାହିଁ ? ରାହୁଲ ଦକ୍ଷିଣ ଆଫ୍ରିକାର ରନ୍ ଗତି ରୋକିବାକୁ ସେଭଳି ବୋଲିଂ ପରିବର୍ତ୍ତନ କରିନଥିଲେ ।

ଭାରତ ଯେତେବେଳେ ୨୯୭ ରନର ଲକ୍ଷ୍ୟ ଚେଜ୍ କରୁଥିଲା, ଧାୱନ୍ ଓ କୋହଲିଙ୍କ ୱିକେଟ୍ ହରାଇବା ପରେ ଦିଗହରା ହୋଇଯାଇ ପରାଜୟ ସ୍ୱୀକାର କରିଥିଲା । ଦଳର ମଧ୍ୟକ୍ରମ ଅତି ଶସ୍ତାରେ ଦକ୍ଷିଣ ଆଫ୍ରିକା ବୋଲିଂ ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ସର୍ଟ ବଲ୍ ଆଗରେ ଶ୍ରେୟାସ ଆୟରଙ୍କ ଦୁର୍ବଳତା ପୁଣି ପଦାରେ ପଡ଼ିଥିଲା । ପନ୍ତ ମଧ୍ୟ ଏକ ଖରାପ ସଟ୍ ଖେଳି ଆଉଟ୍ ହୋଇଥିଲେ । ଦଳର ଯୁବ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନଙ୍କୁ ନିଜ ଦାୟିତ୍ୱ ନେଇ ସଚେତନ ହେବାକୁ ପଡ଼ିବ । ରାହୁଲ ଦ୍ରାବିଡଙ୍କ ଭଳି କୋଚ୍ ଥିବାରୁ ଏହି ସବୁ ସମସ୍ୟାର ସମାଧାନ ହେବ ବୋଲି ଆଶା କରାଯାଉଛି ।

ଅନ୍ୟପକ୍ଷରେ ଟେଷ୍ଟ ସିରିଜକୁ ୨-୧ରେ ଜିିତିବା ପରେ ଦକ୍ଷିଣ ଆଫ୍ରିକାର ଯୁବ ଦଳ ପ୍ରଥମ ଦିନିକିଆରେ ବିଜୟ ସହ ଜବରଦସ୍ତ ଢଙ୍ଗରେ ଦିନିକିଆ ସିରିଜ୍ ଆରମ୍ଭ କରିିଛି । ଦଳର ମନୋବଳ ଉଚ୍ଚ ରହିଛି । ଦ୍ୱିତୀୟ ଦିନିକିଆରେ ମଧ୍ୟ ବାଭୁମାଙ୍କ ନେତୃତ୍ୱାଧୀନ ଦଳ ପୁଣି ସଂଘର୍ଷରତ ଭାରତକୁ ଚକମା ଦେଇ ସିରିଜ ହାତେଇବା ଲକ୍ଷ୍ୟରେ ରହିବ ।