ଓମିକ୍ରନରୁ ସୁସ୍ଥ ହୋଇଥିବା ବେଙ୍ଗାଲୁରୁ ଡାକ୍ତର ପୁଣି କରୋନା ପଜିଟିଭ୍ | News Room Odisha

ଓମିକ୍ରନରୁ ସୁସ୍ଥ ହୋଇଥିବା ବେଙ୍ଗାଲୁରୁ ଡାକ୍ତର ପୁଣି କରୋନା ପଜିଟିଭ୍

ବେଙ୍ଗାଲୁରୁ: ଓମିକ୍ରନ୍ ଭାରିଆଣ୍ଟ ଦ୍ବାରା ସଂକ୍ରମିତ ହେବାର ଦୁଇ ସପ୍ତାହ ପରେ ବେଙ୍ଗାଲୁରୁର ଜଣେ ଡାକ୍ତରଙ୍କ କରୋନା ରିପୋର୍ଟ ପୁଣି ପଜିଟିଭ୍ ଆସିଛି। ଭାରତରେ ଚିହ୍ନଟ ପ୍ରଥମ ଦୁଇ ଓମିକ୍ରନ୍ ରୋଗୀଙ୍କ ମଧ୍ୟରୁ ଏହି ଡାକ୍ତର ଜଣକ ଥିଲେ ଅନ୍ୟତମ | ରିପୋର୍ଟ ଅନୁଯାୟୀ, ଓମିକ୍ରନ୍ ଭାରିଆଣ୍ଟକୁ ମାତ୍ ଦେବା ପରେ ଡାକ୍ତର ସୁସ୍ଥ ହୋଇଯାଇଥିଲେ । ତେବେ ପୁଣି ସେ କରୋନା ପଜିଟିଭ୍ ହୋଇଛନ୍ତି। ହେଲେ ପୁଣିଥରେ ସେ ଓମିକ୍ରନ୍ ନା ଅନ୍ୟ କୌଣସି ଭାରିଆଣ୍ଟ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ |

୪୬ ବର୍ଷୀୟ ଏହି ଡାକ୍ତରଙ୍କର ଅନ୍ତର୍ଜାତୀୟ ଭ୍ରମଣ ନେଇ ମଧ୍ୟ କୌଣସି ଇତିହାସ ନାହିଁ | ଯେତେବେଳେ ଭାରତରେ ପ୍ରଥମ ଥର ପାଇଁ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହେଲା, ଏହି ଡାକ୍ତରଙ୍କ ସହ ଦକ୍ଷିଣ ଆଫ୍ରିକାର ଜଣେ ନାଗରିକ ଥିଲେ | ତେବେ ପରେ ସେ ଦୁବାଇ ପଳାଇ ଯାଇଥିଲେ । କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଦେଶ ଛାଡିଥିବା ଦକ୍ଷିଣ ଆଫ୍ରିକାର ଜଣେ ନାଗରିକଙ୍କ ବିରୋଧରେ ପୋଲିସ ଏକ ମାମଲା ରୁଜୁ କରିଛି।

ବୃହତ୍ତ ବେଙ୍ଗାଲୁରୁ ମ୍ୟୁନିସିପାଲିଟି କର୍ପୋରେସନ୍ (ବିବିଏମ୍ପି) ର ଜଣେ ଅଧିକାରୀ କହିଛନ୍ତି ଯେ ଓମିକ୍ରନ୍ ଭାରିଆଣ୍ଟରେ ସଂକ୍ରମିତ ହୋଇଥିବା ଡାକ୍ତର ପୁଣିଥରେ କରୋନା ସଂକ୍ରମିତ ହୋଇଛନ୍ତି। ଅଧିକାରୀ କହିଛନ୍ତି ଯେ ସଂପୃକ୍ତ ଡାକ୍ତର କ୍ବାରେଣ୍ଟାଇନରେ ଅଛନ୍ତି ଏବଂ ତାଙ୍କ ଠାରେ ଏହି ରୋଗର ସାମାନ୍ୟ ଲକ୍ଷଣ ଅଛି |

ଏକ ରିପୋର୍ଟରେ କୁହାଯାଇଛି ଯେ ଓମିକ୍ରନ୍‌ରେ ସଂକ୍ରମିତ ହେବାର ଗୋଟିଏ ଦିନ ପୂର୍ବରୁ ଡାକ୍ତର ଜଣକ ବେଙ୍ଗାଲୁରୁରେ ଏକ ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗ ଦେଇଥିଲେ।