ଖରାପ ବ୍ୟବହାର କରୁଥିବା ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର, ଏନ୍ଏମସି ଆଣିଲା ନୂଆ ନିୟମ | News Room Odisha

ଖରାପ ବ୍ୟବହାର କରୁଥିବା ରୋଗୀଙ୍କୁ ଚିକିତ୍ସା କରିବାକୁ ମନା କରିପାରିବେ ଡାକ୍ତର, ଏନ୍ଏମସି ଆଣିଲା ନୂଆ ନିୟମ

ନୂଆଦିଲ୍ଲୀ: ସମ୍ପ୍ରତି ଡାକ୍ତର ମାନଙ୍କ ସହ ମାରପିଟ୍ ଘଟଣା ନିୟମିତ ବ୍ୟବଧାନରେ ଘଟୁଛି । ଡାକ୍ତରମାନଙ୍କ ସୁରକ୍ଷା ପାଇଁ ଜାତୀୟ ମେଡିକାଲ କମିଶନ (ଏନ୍ଏମସି) ଏକ ବଡ଼ ନିଷ୍ପତ୍ତି ନେଇଛି । ଯଦି କୌଣସି ରୋଗୀ ଅବା ତାଙ୍କ ସମ୍ପର୍କୀୟ ଖରାପ ବ୍ୟବହାର କରନ୍ତି ଅଥବା ଆକ୍ରମଣ କରନ୍ତି ତେବେ ଡାକ୍ତର ଉକ୍ତ ରୋଗୀଙ୍କ ଚିକିତ୍ସା କରିବାକୁ ମନା କରିପାରିବେ । ଏନେଇ ପଞ୍ଜୀକୃତ ଡାକ୍ତର ମାନଙ୍କୁ ଅନୁମତି ଦେଇଛି ଏନ୍ଏମସି । ଡାକ୍ତରଙ୍କ ବିରୋଧରେ ଚାଲିଥିବା ହିଂସା ଘଟଣାକୁ ରୋକିବା ପାଇଁ ଏନ୍ଏମସି ଏହି ପଦକ୍ଷେପ ନେଇଛି ।

ଏନ୍ଏମସି ତରଫରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି, ବିଶୃଙ୍ଖଳିତ ତଥା ଆକ୍ରମଣାତ୍ମକ ରୋଗୀ କିମ୍ବା ସମ୍ପର୍କୀୟଙ୍କ ଆଚରଣ ନେଇ ଡାକ୍ତର ରିପୋର୍ଟ କରିପାରନ୍ତି ଏବଂ ରୋଗୀର ଚିକିତ୍ସା କରିବାକୁ ମନା କରିପାରନ୍ତି । ଏପରି ରୋଗୀଙ୍କୁ ଅଧିକ ଚିକିତ୍ସା ପାଇଁ ଅନ୍ୟତ୍ର ପଠାଯାଇପାରେ । ଏହି ନୂଆ ନିୟମ ମେଡିକାଲ୍ କାଉନସିଲ୍ ଅଫ୍ ଇଣ୍ଡିଆ (ଏମସିଆଇ)ର ମେଡିକାଲ୍ ଏଥିକ୍ସ କୋଡ୍ ୨୦୦୨ର ସ୍ଥାନ ନେବ । ପ୍ରଥମ ଥର ପାଇଁ ଡାକ୍ତର ମାନଙ୍କୁ ବିଶୃଙ୍ଖଳିତ ରୋଗୀଙ୍କ ଚିକିତ୍ସା ପାଇଁ ମନା କରିବାକୁ ଅଧିକାର ମିଳିବ । ଡାକ୍ତରଙ୍କ ପ୍ରତି ହେଉଥିବା ହିଂସାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି।

ବିଜ୍ଞପ୍ତିରେ ଦର୍ଶାଯାଇଛି ଯେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଇମର୍ଜେନ୍ସି କେସକୁ ଛାଡ଼ି ଅନ୍ୟ କାହାକୁ କିପରି ସେବା ଦିଆଯିବ ସେନେଇ ନିଷ୍ପତ୍ତି ନେବାକୁ ଡାକ୍ତରମାନେ ସ୍ବାଧୀନ। ଏକ କେସ୍ ଗ୍ରହଣ କରିବା ପରେ ଡାକ୍ତର ରୋଗୀଙ୍କୁ ଅଣଦେଖା କରିପାରିବେ ନାହଁ । ଏହାଛଡ଼ା ରୋଗୀଙ୍କ ପରିବାରକୁ ପର୍ଯ୍ୟାପ୍ତ ନୋଟିସ ନଦେଇ ସମ୍ପୃକ୍ତ କେସରୁ ଓହରି ପାରିବେ ନାହିଁ ।

ଏନ୍ଏମସି ବିଜ୍ଞପ୍ତିରେ ମଧ୍ୟ ଉଲ୍ଲେଖ କରାଯାଇଛି ଯେ ଡାକ୍ତରମାନେ ଔଷଧ କମ୍ପାନୀଗୁଡିକରୁ କୌଣସି ଉପହାର, ଭ୍ରମଣ ସୁବିଧା ଆଦି ଗ୍ରହଣ କରିପାରିବେ ନାହିଁ। ଏହାଛଡ଼ା ନିୟମ ଅନୁଯାୟୀ ଡାକ୍ତରମାନେ ଆରଏମପି ସିପିଡି, ସେମିନାର, କର୍ମଶାଳା, ସମ୍ମିଳନୀ ଆଦି କୌଣସି ତୃତୀୟ ପକ୍ଷ ଶିକ୍ଷାଗତ କାର୍ଯ୍ୟରେ ନିଜକୁ ସାମିଲ୍ କରିବେ ନାହିଁ ।

ଡାକ୍ତରମାନଙ୍କ ପାରିଶ୍ରମିକ ଅଧିକାର ସମ୍ପର୍କରେ ମଧ୍ୟ ଏହି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଛି । ରୋଗୀର ସ୍ବାସ୍ଥ୍ୟ ପରୀକ୍ଷା କିମ୍ବା ଚିକିତ୍ସା ପୂର୍ବରୁ ଡାକ୍ତର ନିଜ ପରାମର୍ଶ ଶୁଳ୍କ ରୋଗୀଙ୍କୁ ଜଣାଇବା ଉଚିତ୍। ଏଥିରେ କୁହାଯାଇଛି, ସୂଚିତ‌ ହୋଇଥିବା ପାରିଶ୍ରମିକ ଅନୁଯାୟୀ ରୋଗୀଙ୍କୁ ଅସ୍ତ୍ରୋପଚାର କିମ୍ବା ଚିକିତ୍ସାର ଉଚିତ ମୂଲ୍ୟ ପ୍ରଦାନ କରିବାକୁ ହେବ । ଯଦି ସୂଚିତ କରାଯାଇଥିବା ଦେୟ ପ୍ରଦାନ କରାନଯାଏ, ତେବେ ଡାକ୍ତର ରୋଗୀର ଚିକିତ୍ସା କରିବା କିମ୍ବା ଏହାକୁ ଜାରି ରଖିବାକୁ ମନା କରିପାରନ୍ତି।