ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ପାଇଁ ରହିଛି ଅନେକ ଜଟିଳ ଆହ୍ୱାନ | News Room Odisha

ରାଜ୍ୟ କଂଗ୍ରେସର ନୂଆ ପ୍ରଭାରୀ ଏ. ଚେଲ୍ଲାକୁମାରଙ୍କ ପାଇଁ ରହିଛି ଅନେକ ଜଟିଳ ଆହ୍ୱାନ

ଭୁବନେଶ୍ୱର – ରାଜ୍ୟରେ ମୁଖ୍ୟ ବିରୋଧୀ ଦଳ ଭାବେ ବିଜେପିଠାରୁ ମାନ୍ୟତା ହରାଇ ସାରିଥିବା କଂଗ୍ରେସ ଏବେ ଅନେକ ଆହ୍ୱାନ ଦେଇ ଗତି କରୁଛି । ଗୋଷ୍ଠୀ କନ୍ଦଳ, ବର୍ତମାନର ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ବିରୋଧରେ ବିଦ୍ରୋହ ଯୋଗୁଁ କଂଗ୍ରେସ ଚର୍ଚ୍ଚାରେ ରହିଆସିଛି । ଭୋଟରମାନେ ଦଳ ପ୍ରତି ଯେ, ଆସ୍ଥା ହରାଇସାରିଲେଣି, ତାହା ଗତବର୍ଷର ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ପୁଣି ଥରେ ପ୍ରମାଣିତ ହୋଇଛି ।

ଏସବୁ ମଧ୍ୟରେ ନିଂରଜନ ପଟ୍ଟନାୟକଙ୍କ ବିରୋଧରେ ଅସନ୍ତୋଷ ଓ ବିଦ୍ରୋହର ସ୍ୱର ଉଠିଛି । ବିଭିନ୍ନ କ୍ୟାମ୍ପରେ ପରିଣତ ହୋଇଛି କଂଗ୍ରେସ । ଛାତ୍ର ଓ ଯୁବ କଂଗ୍ରେସ ବି ବହୁଧା ଗୋଷ୍ଠୀରେ ବିଭକ୍ତ । କିଛି ଦିନ ତଳେ କଂଗ୍ରେସ ଭବନରେ ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ଦଳର ଭାବମୂର୍ତିକୁ ଆହୁରି ମଳିନ କରିଦେଇଛି । ଦଳର ପୁନରୁଦ୍ଧାର ପାଇଁ ପିସିସି ସଭାପତି କିଛି ଉଦ୍ୟମ କରୁ ନ ଥିବା ଏବଂ ନିଜ ଲୋକଙ୍କୁ ହିଁ ଅନୁଗ୍ରହ ଦେଖାଉଥିବା ଅଭିଯୋଗ ହୋଇଛି ।

ଦଳର କିଛି ବରିଷ୍ଠ ନେତା ନିୟମିତ ବ୍ୟବଧାନରେ ଅସନ୍ତୋଷର ସ୍ୱର ଉଠାଇଛନ୍ତି । ନେତୃତ୍ୱ ପରିବର୍ତନ ପାଇଁ କେନ୍ଦ୍ରୀୟ ନେତୃତ୍ୱରେ ଡେରା ପକାଇଛନ୍ତି । କିଛି ନେତା ତ ଖୋଲାଖୋଲି ରାଜ୍ୟ କଂଗ୍ରେସର ନେତୃତ୍ୱ ପ୍ରତି ପ୍ରଶ୍ନ କରିଛନ୍ତି । ବିଶୃଙ୍ଖଳାର ଚରମ ସୀମାରେ ଦଳ ପହଂଚିଛି । ଏଭଳି ଏକ ଘଡିସନ୍ଧି ମୁହୂର୍ତରେ କଂଗ୍ରେସର କେନ୍ଦ୍ରୀୟ ନେତୃତ୍ୱ ଓଡିଶାରେ ଦଳର ବ୍ୟାପାର ବୁଝିବା ପାଇଁ ତାମିଲନାଡୁର ବରିଷ୍ଠ ନେତା ଡକ୍ଟର ଏ. ଚେଲ୍ଲାକୁମାରଙ୍କୁ ନୂଆ ପ୍ରଭାରୀ ଭାବେ ନିଯୁକ୍ତି ଦେଇଛି । ଜିତେନ୍ଦ୍ର ସିଂହଙ୍କ ସ୍ଥାନରେ ଓଡିଶା କଂଗ୍ରେସର ନୂଆ ପ୍ରଭାରୀ ହୋଇଛନ୍ତି ଚେଲ୍ଲାକୁମାର । ୨୦୧୯ ନିର୍ବାଚନ ପୂର୍ବରୁ ଜିତେନ୍ଦ୍ର ସିଂହଙ୍କୁ ଓଡିଶା କଂଗ୍ରେସ ପ୍ରଭାରୀ ଭାବେ ଦାୟିତ୍ୱ ମିଳିଥିଲା । ହେଲେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନରେ ଦଳର ପ୍ରଦର୍ଶନ ଥିଲା ଅତି ନିରାଶାଜନକ । ବିଜେପି ଏବେ ରାଜ୍ୟର ବିରୋଧୀ ଦଳ ଭାବେ ଉଭା ହୋଇଥିବାରୁ କଂଗ୍ରେସ ପାଇଁ ଏହା ବଡ ଆହ୍ୱାନ ସୃଷ୍ଟି କରିଛି ।

ଏଠାରେ ପ୍ରଶ୍ନ ହେଉଛି , କଂଗ୍ରେସର ନୂଆ ପ୍ରଭାରୀ କଣ ଦଳର ଭାଗ୍ୟ ପରିବର୍ତନ କରିବାରେ ସଫଳ ହେବେ ? ରାଜ୍ୟରେ କଂଗ୍ରେସର ଅସ୍ତିତ୍ୱ ନେଇ ଯେଉଁ ପ୍ରଶ୍ନ ସୃଷ୍ଟି ହୋଇଛି, ତାହାର ମୁକାବିଲା କିଭଳି କରିବେ ଚେଲ୍ଲା କୁମାର ? ନୂଆ ପ୍ରଭାରୀଙ୍କ ପାଇଁ ରହିଛି ଏଭଳି ଅନେକ ଆହ୍ୱାନ । ବିଭିନ୍ନ କାରଣରୁ ରାଜ୍ୟ କଂଗ୍ରେସରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଥିବା ବେଳେ ଏହାର ମୁକାବିଲା ପାଇଁ ଚେଲ୍ଲା କୁମାର କିଭଳି ରଣକୌଶଳ ଆପଣାଇବେ, ତାହା ଉପରେ ସମସ୍ତଙ୍କ ନଜର ରହିବ । କଂଗ୍ରେସର ଦୁର୍ବଳ ସଂଗଠନକୁ ମଜଭୁତ କରିବା ମଧ୍ୟ ତାଙ୍କ ପାଇଁ ବଡ ଆହ୍ୱାନ ହେବ ।

ଦଳକୁ କବଳିତ କରି ରଖିଥିବା ବିଭିନ୍ନ ଜଟିଳ ସମସ୍ୟାର ସମାଧାନ ସହ ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବା, ଚେଲ୍ଲାକୁମାରଙ୍କ ପାଇଁ ସବୁଠୁ ବଡ ଚ୍ୟାଲେଂଜ ହେବ ।

ବହୁଦିନରୁ ଲାଗିରହିଥିବା ରାଜ୍ୟ କଂଗ୍ରେସର ନେତୃତ୍ୱ ପରିବର୍ତନ ସମସ୍ୟାର ସମାଧାନ ଚେଲ୍ଲା କୁମାରଙ୍କ ପାଇଁ ପ୍ରଥମ ବଡ ଆହ୍ୱାନ ହେବ । କାରଣ ନିରଂଜନ ପଟ୍ଟନାୟକଙ୍କୁ ପିସିସି ସଭାପତିରୁ ହଟାଇବା ପାଇଁ ବହୁ ଦିନ ହେଲା ଦାବି ହୋଇଆସୁଛି । ବିଶେଷ କରି ଗତବର୍ଷର ବିଧାନସଭା ଓ ଲୋକସଭା ନିର୍ବାଚନ, ପାଟକୁରା ଓ ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ନିରଂଜନଙ୍କ ବିରୋଧରେ ଖଡ୍ଗହସ୍ତ ହୋଇଛନ୍ତି ବିଦ୍ରୋହୀ । ଗତବର୍ଷ ବିଧାନସଭା ନିର୍ବାଚନ ପରେ କଂଗ୍ରେସ ରାଜ୍ୟର ମୁଖ୍ୟ ବିରୋଧୀ ଦଳ ଭାବେ ମାନ୍ୟତା ହରାଇଥିଲା ।

ରାଜ୍ୟରେ କଂଗ୍ରେସର ଲଗାତର ଅଧୋଗତି ହୋଇଆସୁଛି, ଯାହା କି ବିଗତ କିଛି ନିର୍ବାଚନ ଫଳାଫଳରୁ ପ୍ରମାଣିତ ହୋଇଛି । ୨୦୧୪ ମସିହାରେ ବିଧାନସଭାର ୧୪୭ ଆସନ ମଧ୍ୟରୁ କଂଗ୍ରେସ ଜିତିଥିଲା ମାତ୍ର ୧୬ଟି ଆସନ । ୨୦୧୯ ନିର୍ବାଚନରେ ଆସନ ସଂଖ୍ୟା ମାତ୍ର ୯କୁ ଖସିଆସିଥିଲା । ଦଳର ଭୋଟ୍ ସେୟାର ମଧ୍ୟ ଲଗାତାର ଭାବେ ହ୍ରାସ ପାଇବାକୁ ଲାଗିଛି । ୨୦୧୯ ନିର୍ବାଚନରେ କଂଗ୍ରେସର ଭୋଟ୍ ସେୟାର ମାତ୍ର ୧୬ ଦଶମିକ ୧୨ ପ୍ରତିଶତକୁ ହ୍ରାସ ପାଇଥିଲା । ୨୦୧୪ରେ ଦଳର ଭୋଟ ସେୟାର ୨୫ ଦଶମିକ ୭ ପ୍ରତିଶତ ଥିଲା । ସେହିଭଳି ଲୋକସଭା ନିର୍ବାଚନରେ ବି ଦଳର ଭୋଟ୍ ସେୟାର ହ୍ରାସ ପାଇଛି । ୨୦୧୪ ଲୋକସଭା ନିର୍ବାଚନରେ କଂଗ୍ରେସର ଭୋଟ୍ ସେୟାର ୨୬ ଦଶମିକ ୩୮ ପ୍ରତିଶତ ଥିଲା ବେଳେ ୨୦୧୯ରେ ଏହା ୧୩ ଦଶମିକ ୮୧ ପ୍ରତିଶତକୁ ଖସି ଆସିଥିଲା ।

ରାଜ୍ୟ କଂଗ୍ରେସର ଏଭଳି ନିମ୍ନମାନର ପ୍ରଦର୍ଶନକୁ ଦେଖିଲେ ଏ. ଚେଲ୍ଲାକୁମାରଙ୍କ ପାଇଁ ଦଳର ପୁନରୁଦ୍ଧାର କାର୍ଯ୍ୟ କଠିନ ମନେ ହେବା ସ୍ୱାଭାବିକ । କିନ୍ତୁ ଆଗାମୀ ପୌର ଓ ପଂଚାୟତ ନିର୍ବାଚନ ପାଇଁ ଦଳକୁ ପ୍ରସ୍ତୁତ କରିବାକୁ ହେଲେ ତୃଣମୂଳସ୍ତରୀୟ ସମସ୍ୟାର ସମାଧାନ କରିବା ଚେଲ୍ଲାକୁମାରଙ୍କ ପାଇଁ ଯେ, ପ୍ରାଥମିକତା ହେବ, ଏଥିରେ ସନ୍ଦେହ ନାହିଁ ।