ରାଷ୍ଟ୍ରପତି ନିର୍ବାଚନ: ସୋନିଆ, ମମତାଙ୍କ ସମର୍ଥନ ଲୋଡ଼ିଲେ ଦ୍ରୌପଦୀ ମୁର୍ମୁ | News Room Odisha

ରାଷ୍ଟ୍ରପତି ନିର୍ବାଚନ: ସୋନିଆ, ମମତାଙ୍କ ସମର୍ଥନ ଲୋଡ଼ିଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ରାଷ୍ଟ୍ରପତି ପଦ ପାଇଁ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ନାମାଙ୍କନ ଦାଖଲ କରିବା ପୂର୍ବରୁ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ଏନସିପି ମୁଖ୍ୟ ଶରଦ ପାୱାରଙ୍କ ​​ସହ ଫୋନରେ କଥା ହୋଇଥିଲେ ଏବଂ ସେମାନଙ୍କ ସମର୍ଥନ ଲୋଡିଥିଲେ । ଏହାପୂର୍ବରୁ ଦ୍ରୌପଦୀ ମୁର୍ମୁ ସଂସଦ ଗୃହରେ ପହଞ୍ଚି ରାଷ୍ଟ୍ରପତି ପଦ ପାଇଁ ତାଙ୍କ ନାମାଙ୍କନପତ୍ର ଦାଖଲ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ, ରାଜନାଥ ସିଂହ, ଅମିତ ଶାହାଙ୍କ ବ୍ୟତୀତ ଅନେକ କେନ୍ଦ୍ର ମନ୍ତ୍ରୀ ଏବଂ ସାଂସଦ ଉପସ୍ଥିତ ଥିଲେ।

ନାମାଙ୍କନ ପତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କର ପ୍ରଥମ ପ୍ରସ୍ତାବକ ହୋଇଥିଲେ। ଓଡ଼ିଶାର ଦୁଇ କ୍ୟାବିନେଟ ମନ୍ତ୍ରୀ ଜଗନ୍ନାଥ ସାରକା ଓ ଟୁକୁନି ସାହୁ ମଧ୍ୟ ମୁର୍ମୁଙ୍କ ପ୍ରସ୍ତାବକୁ ଭାବେ ଉପସ୍ଥିତ ଥିଲେ । ମୁର୍ମୁଙ୍କ ପ୍ରାର୍ଥୀତ୍ୱ ପାଇଁ ବିଜେପି ଚାରୋଟି ସେଟ୍ ନାମାଙ୍କନ ପ୍ରସ୍ତୁତ କରିଥିଲା । ପ୍ରଧାନମନ୍ତ୍ରୀଙ୍କ ବ୍ୟତୀତ ବରିଷ୍ଠ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ, ଅମିତ ଶାହା ଏବଂ ବିଜେପି ସଭାପତି ଜେପି ନାଡା ନାମାଙ୍କନ ପତ୍ରରେ ଦସ୍ତଖତ କରିଥିଲେ ।

ଅନ୍ୟପକ୍ଷରେ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀ ଏନଡିଏର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଜଣାଇଛନ୍ତି। ଆନ୍ଧ୍ର ସରକାରଙ୍କ ଏକ ସରକାରୀ ବିବୃତ୍ତି ଅନୁଯାୟୀ- ସିଏମ୍ ଜଗନ୍ କହିଛନ୍ତି ଯେ ତାଙ୍କ ଦଳ ଏସସି, ଏସଟି, ପଛୁଆବର୍ଗ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ପ୍ରତିନିଧିତ୍ୱ ଉପରେ ସର୍ବଦା ଗୁରୁତ୍ୱ ଦେଇଥାଏ।

ଉଲ୍ଲେଖଯୋଗ୍ୟ, ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ଜୁଲାଇ ୧୮ରେ ଅନୁଷ୍ଠିତ ହେବ | ଦ୍ରୌପଦୀ ମୁର୍ମୁ ହେଉଛନ୍ତି ଓଡିଶାର ପୂର୍ବତନ ମନ୍ତ୍ରୀ ତଥା ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ। ରାଷ୍ଟ୍ରପତି ନିର୍ବାଚନରେ ଦ୍ରୌପଦୀ ମୁର୍ମୁଙ୍କ ପ୍ରତିଦ୍ବନ୍ଦିତା ବିରୋଧୀ ମେଣ୍ଟର ପ୍ରାର୍ଥୀ ଯଶଓ୍ବନ୍ତ ସିହ୍ନାଙ୍କ ସହ ହେବ। ଯଶଓ୍ବନ୍ତ ସିହ୍ନା ଜୁନ୍ ୨୭ରେ ନାମାଙ୍କନ ଦାଖଲ କରିବେ ।