ଭାରତୀୟ ଗଣତନ୍ତ୍ରରେ ନୂଆ ଅଧ୍ୟାୟ, ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ | News Room Odisha

ଭାରତୀୟ ଗଣତନ୍ତ୍ରରେ ନୂଆ ଅଧ୍ୟାୟ, ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ଶପଥ ନେଲେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଭାରତୀୟ ଗଣତାନ୍ତ୍ରିକ ଇତିହାସରେ ଆଜି ଆରମ୍ଭ ହୋଇଛି ନୂଆ ଅଧ୍ୟାୟ । ଦେଶର ପଞ୍ଚଦଶ ତଥା ପ୍ରଥମ ମହିଳା ଆଦିବାସୀ ରାଷ୍ଟ୍ରପତି ଭାବେ ଦ୍ରୌପଦୀ ମୁର୍ମୁ ସୋମବାର ଶପଥ ଗ୍ରହଣ କରିଛନ୍ତି । ସଂସଦର ସେଣ୍ଟ୍ରାଲ ହଲରେ ଅନୁଷ୍ଠିତ ଶପଥ ଗ୍ରହଣ ଉତ୍ସବରେ ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମନ୍ନା ଦ୍ରୌପଦୀ ମୁର୍ମୁଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି । ଦ୍ରୌପଦୀ ମୁର୍ମୁ ହିନ୍ଦୀରେ ଶପଥ ନେଇଥିଲେ ।

ଶପଥ ଗ୍ରହଣ ପରେ ଦ୍ରୌପଦୀ ମୁର୍ମୁଙ୍କୁ ୨୧ ତୋପ ସଲାମୀ ଦିଆଯାଇଥିଲା । ଏହାପରେ ନୂଆ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସେଣ୍ଟ୍ରାଲ ହଲରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ସମ୍ବୋଧିତ କରିଥିଲେ ।

ମୁର୍ମୁଙ୍କୁ ଶପଥ ଗ୍ରହଣ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ବିଦାୟୀ ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଲୋକସଭା ବାଚସ୍ପତି ଓମ ବିର୍ଲା, ମନ୍ତ୍ରୀ ପରିଷଦର ସଦସ୍ୟ, ରାଜ୍ୟପାଳ, କୂଟନୈତିକ ମିଶନର ମୁଖ୍ୟ, ସଂସଦର ସଦସ୍ୟ ତଥା ସରକାରୀ, ବେସାମରିକ ତଥା ସାମରିକ ମୁଖ୍ୟ ଅଧିକାରୀମାନେ ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇଥିଲେ |

ଭିଭି ଗିରିଙ୍କ ପରେ ଦ୍ବିତୀୟ ଓଡ଼ିଆ ଭାବେ ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପଦ ଅଳଙ୍କୃତ କରିଛନ୍ତି। ଏହାଛଡ଼ା ସେ ପ୍ରଥମ ରାଷ୍ଟ୍ରପତି ଯିଏକି ସ୍ଵାଧୀନତା ପରେ ଜନ୍ମ ଗ୍ରହଣ କରିଛନ୍ତି । ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଅଳଙ୍କୃତ କରିବାରେ ସେ ସର୍ବକନିଷ୍ଠ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବାରେ ମଧ୍ୟ ମୁର୍ମୁ ଦ୍ୱିତୀୟ ମହିଳା।