କେରଳ ଉପକୂଳରୁ ୧୨,୦୦୦ କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଅଟକ | News Room Odisha

କେରଳ ଉପକୂଳରୁ ୧୨,୦୦୦ କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଅଟକ

ଅହମ୍ମଦାବାଦ: ଆରବ ସାଗରରେ ହୋଇଛି ସବୁଠୁ ବଡ଼ ଡ୍ରଗ୍ସ ଧରପଗଡ଼ । ଏକ ମିଳିତ ଅପରେସନରେ ଭାରତୀୟ ନୌସେନାର ଇଣ୍ଟେଲିଜେନ୍ସ ୟୁନିଟ୍ ଓ ଏନସିବି ଆରବ ସାଗରରେ ଏକ ଜାହାଜରୁ ୨୬୦୦ କିଲୋଗ୍ରାମ ଡ୍ରଗ୍ସ ଜବତ କରିଛନ୍ତି । ଆନ୍ତର୍ଜାତୀୟ ବଜାରରେ ଜବତ ଡ୍ରଗ୍ସର ମୂଲ୍ୟ ପ୍ରାୟ ୧୨,୦୦୦ କୋଟି ଟଙ୍କା ହେବ ବୋଲି କୁହାଯାଇଛି।

ସୂଚନାନୁସାରେ, ଜବତ ଡ୍ରଗ୍ସ ଇରାନରୁ ଆସୁଥିଲା। କୋଚି ବନ୍ଦରରେ ପହଞ୍ଚିବା ପୂର୍ବରୁ ଏହାକୁ ଜବତ କରାଯାଇଥିଲା। ୨୬୦୦ କେଜି ଡ୍ରଗ୍ସ ସହ ଜଣେ ପାକିସ୍ତାନୀ ନାଗରିକକୁ ଅଟକ ରଖାଯାଇଛି । ଏହି ଡ୍ରଗ୍ସ ରାକେଟ୍ ସହ କେଉଁମାନେ ସମ୍ପୃକ୍ତ ତାହାର ତଦନ୍ତ ଚାଲିଛି ।

ଆରବ ସାଗର ଦେଇ ଭାରତର କୌଣସି ଉପକୂଳ ଆଡକୁ ଏକ ବଡ଼ ଡ୍ରଗ୍ସ କନସାଇନମେଣ୍ଟ ଆସୁଥିବା ଭାରତୀୟ ନୌସେନାର ନାଭାଲ ଇଣ୍ଟେଲିଜେନ୍ସ ୟୁନିଟକୁ ସୂଚନା ମିଳିଥିଲା ‌। ଏହି ଗୁଇନ୍ଦା ସୂଚନା ଆଧାରରେ ନୌସେନା ଏବଂ ଏନସିବି ତରଫରୁ ମିଳିତ ଅପରେସନ୍ ଆରମ୍ଭ ହୋଇଥିଲା ଓ ଡ୍ରଗ୍ସ ଜବତ କରାଯାଇଥିଲା । ଜଣେ ପାକିସ୍ତାନୀ ନାଗରିକକୁ ମଧ୍ୟ ଅଧିକାରୀମାନେ ଅଟକ ରଖିଥିଲେ ‌।

ଏହା ପୂର୍ବରୁ‌ ଫେବୃଆରୀ ୨୦୨୨ରେ ଭାରତୀୟ ନୌସେନାର ନାଭାଲ୍ ଇଣ୍ଟେଲିଜେନ୍ସ ୟୁନିଟ୍ ୨୦୦୦ କୋଟି ମୂଲ୍ୟର ଡ୍ରଗ୍ସ ଜବତ କରିଥିଲା।