ଆନ୍ଧ୍ର- ଓଡ଼ିଶା ସୀମାରେ ମୃଦୁ ଭୂକମ୍ପ | News Room Odisha

ଆନ୍ଧ୍ର- ଓଡ଼ିଶା ସୀମାରେ ମୃଦୁ ଭୂକମ୍ପ

ବ୍ରହ୍ମପୁର : ପଡ଼ୋଶୀ ଆନ୍ଧ୍ରପ୍ରଦେଶ ରାଜ୍ୟର ଶ୍ରୀକାକୁଲମ୍ ନିକଟରେ ମଙ୍ଗଳବାର ରାତି ପ୍ରାୟ ୧୦ଟା ୧୨ରେ ୪.୪ ମାଗ୍ନିଚ୍ୟୁଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି।

ନ୍ୟାସନାଲ ସେଣ୍ଟର ଫର୍ ସେସିମୋଲୋଜି ଏହାକୁ ନିଶ୍ଚିତ କରିଛି। ପ୍ରାୟ ୫ ଥର ତଥା ୪/୫ ସେକଣ୍ଡ ଧରି ମୃଦୁ ଭୂକମ୍ପ ଅନୁଭୂତ ହୋଇଥିଲା। ଏହା ପ୍ରଭାବରେ ଶ୍ରୀକାକୁଲମ ଓ ଇଚ୍ଛାପୁର ସମେତ ସୀମାବର୍ତ୍ତୀ ଓଡ଼ିଶାର ପାତ୍ରପୁର, ଚିକିଟି, ବ୍ରହ୍ମପୁର, ରଙ୍ଗେଇଲୁଣ୍ଡା ଆଦି ଅଞ୍ଚଳରେ ମଧ୍ୟ ସ୍ବଳ୍ପ ମୁହୂର୍ତ୍ତ ପାଇଁ ଭୂକମ୍ପର ହାଲୁକା ଝଟ୍‌କା ଅନୁଭୂତ ହୋଇଛି।

ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଭୂକମ୍ପ ଯୋଗୁଁ ଆସବାବପତ୍ର ଦୋହଲି ଯାଇଥିବା ଲୋକ କହିଛନ୍ତି। ମୃଦୁ ପରିମାଣର ଥିବାରୁ ଏଥିରେ କୌଣସି କ୍ଷୟକ୍ଷତି ହୋଇନାହିଁ। ଆମ୍ବପୁଆ ପୁଲିସ ରିଜର୍ଭ ପଡ଼ିଆ, ଇଞ୍ଜିନିୟରିଂ ସ୍କୁଲ ଛକ, ଗଜପତି ନଗର, ଖୋଡ଼ାସିଙ୍ଗି ଆଦି ଅଞ୍ଚଳବାସୀ ମୃଦୁ ଭୂକମ୍ପ ଅନୁଭୂତ କରିଥିବା କହିଛନ୍ତି।

ପ୍ରବଳ ଶବ୍ଦ ସହ ଘର ଦୋହଲିବାରୁ ଲୋକ ଭୟରେ ପଦାକୁ ଚାଲି ଆସିଥିଲେ। କେତେକ ସ୍ଥାନରେ ଘରେ ଫାଟ ଦେଖାଦେଇଥିବା ଜଣାଯାଇଛି। ଉଲ୍ଲେଖଯୋଗ୍ୟ ଯେ– ଗଞ୍ଜାମ- ଗଜପତି ସୀମାବର୍ତ୍ତୀ ପାହାଡରେ ତତ୍ପପାଣି ଉଷ୍ମପ୍ରବଣ ରହିଛି। ତେଣୁ ଜିଲ୍ଲାରେ ମଝିରେ ମଝିରେ ଭୂକମ୍ପ ଅନୁଭୂତ ହୋଇଥାଏ।