ଉତ୍ତର ଜାପାନରେ ଭୂକମ୍ପ, ୨୦ ଲକ୍ଷ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ସୁନାମି ଆଲର୍ଟ ଜାରି | News Room Odisha

ଉତ୍ତର ଜାପାନରେ ଭୂକମ୍ପ, ୨୦ ଲକ୍ଷ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ, ସୁନାମି ଆଲର୍ଟ ଜାରି

ଟୋକିଓ: ବୁଧବାର ସନ୍ଧ୍ୟାରେ ଉତ୍ତର ଜାପାନର ଫୁକୁସିମା ଉପକୂଳରେ ୭.୩ ତୀବ୍ରତାର ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାପର ସୁନାମି ଆଲର୍ଟ ଜାରି କରାଯାଇଛି। ଜାପାନର ପାଣିପାଗ ବିଭାଗ କହିଛି ଯେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ସମୁଦ୍ରଠାରୁ ୬୦ କିଲୋମିଟର ଦୂରରେ ଥିଲା। ଏହି ଅଞ୍ଚଳ ଉତ୍ତର ଜାପାନର ଏକ ଅଂଶ ଯେଉଁଠି ଦିନେ ଏକ ବିନାଶକାରୀ ଭୂକମ୍ପ ଏବଂ ସୁନାମି ଦ୍ୱାରା ଛାରଖାର ହୋଇଯାଇଥିଲା । ଭୂକମ୍ପ ଯୋଗୁଁ ଆଣବିକ ବିପର୍ଯ୍ୟୟ ମଧ୍ୟ ଘଟିଥିଲା।

ଟୋକିଓ ଇଲେକ୍ଟ୍ରିକ୍ ପାୱାର୍ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ ଭୂକମ୍ପ ପରେ ପ୍ରାୟ ୨୦ ଲକ୍ଷ ଘରେ ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ ହୋଇଯାଇଛି। ଭୂକମ୍ପ ଯୋଗୁଁ ଧନଜୀବନ ହାନି ସମ୍ପର୍କରେ କୌଣସି ସୂଚନା ମିଳିନାହିଁ। ଏହାପୂର୍ବରୁ ଚଳିତ ବର୍ଷ ଜାନୁଆରୀରେ ଜାପାନରେ ଭୂକମ୍ପ ଅନୁଭୂତ ହୋଇଥିଲା। ଜାପାନର ଦକ୍ଷିଣ-ପଶ୍ଚିମ ଏବଂ ପଶ୍ଚିମ ଭାଗରେ ହୋଇଥିବା ଭୂକମ୍ପରେ ୧୦ ରୁ ଅଧିକ ଲୋକ ଆହତ ହୋଇଥିଲେ।