ଚାକିରି ପାଇଁ ଜମି ଦୁର୍ନୀତି: ଲାଲୁ ଓ ତେଜସ୍ଵୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ଇଡି | News Room Odisha

ଚାକିରି ପାଇଁ ଜମି ଦୁର୍ନୀତି: ଲାଲୁ ଓ ତେଜସ୍ଵୀଙ୍କ ଘନିଷ୍ଠ ସହଯୋଗୀଙ୍କୁ ବାନ୍ଧିଲା ଇଡି

ନୂଆଁଦିଲ୍ଲୀ: ‘ଚାକିରି ପାଇଁ ଜମି ମାମଲାର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆରଜେଡି ମୁଖ୍ୟ ଲାଲୁ ଯାଦବଙ୍କ ଘନିଷ୍ଠ ସହଯୋଗୀ ଅମିତ କାତ୍ୟାଲଙ୍କୁ ଗିରଫ କରିଛି।

ବାରମ୍ବାର ସମନ ସତ୍ତ୍ବେ ସେ ହାଜର ହୋଇନଥିଲେ । ଆଜି ଇଡି ତାଙ୍କୁ ଗିରଫ କରିଛି । ତାଙ୍କୁ କୋର୍ଟରେ ହାଜର କରାଯିବ । ତାଙ୍କୁ ରିମାଣ୍ଡରେ ନେବାକୁ ଆବେଦନ କରିପାରେ ଇଡି । ମାର୍ଚ୍ଚରେ ଇଡି କାତ୍ଯାଲଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢ଼ାଉ କରିଥିଲା।

ନିକଟରେ ଦିଲ୍ଲୀ ହାଇକୋର୍ଟ କାତ୍ଯାଲଙ୍କ ବିରୋଧରେ ଜାରି ସମନକୁ ରଦ୍ଦ କରିବାକୁ ମନା କରିଦେଇଥିଲେ। ଇଡି ସୂଚନା ଅନୁଯାୟୀ, କାତ୍ଯାଲ ଲାଲୁ ଯାଦବ ଓ ତାଙ୍କ ପୁଅ ତଥା ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ଵୀ ଯାଦବଙ୍କ ଘନିଷ୍ଠ ସହଯୋଗୀ।

ସେ ‘ଏକେ ଇନଫୋସିଷ୍ଟମ ପ୍ରାଇଭେଟ ଲିମିଟେଡ୍’ ନାମକ ଏକ କମ୍ପାନୀର ନିର୍ଦ୍ଦେଶକ। ଚାକିରି ପାଇଁ ଜମି ମାମଲାରେ କମ୍ପାନୀ ଲାଭ ଉଠାଇଥିବା ଅଭିଯୋଗ ହୋଇଛି।

ଲାଲୁ ଯାଦବ ୨୦୦୪-୨୦୦୯ ଯାଏଁ ୟୁଏପିଏ ସରକାରରେ କେନ୍ଦ୍ର ରେଳମନ୍ତ୍ରୀ ଥିବାବେଳେ ରେଳବାଇ ଗ୍ରୁପ୍ ଡି’ ଚାକିରି ପାଇଁ ଲାଲୁ ପରିବାର ଲାଞ୍ଚ ଭାବେ ଆଶାୟୀ ପ୍ରାର୍ଥୀମାନଙ୍କ ଠାରୁ ଜମି ନେଇଥିଲେ। ଲାଲୁଙ୍କ ସହ ତାଙ୍କର ଅନେକ ପରିବାର ସଦସ୍ୟଙ୍କ ମଧ୍ୟ ଏହି ମାମଲାରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଲାଲୁ ଯାଦବ ପ୍ରଥମେ ପ୍ରାର୍ଥୀଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତ କରୁଥିଲେ। ଜମି ଡିଲ୍ ଚୂଡ଼ାନ୍ତ ହେବା ପରେ ସେମାନଙ୍କୁ ନିୟମିତ କରାଯାଉଥିଲା। ଏହି ଚାକିରି ପାଇଁ କୌଣସି ବିଜ୍ଞାପନ ମଧ୍ୟ ପ୍ରକାଶ କରାଯାଇନଥିଲା ।