ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଗିରଫ କଲା ଇଡି | News Room Odisha

ମନି ଲଣ୍ଡରିଂ ମାମଲାରେ ତାମିଲନାଡୁ ଶକ୍ତି ମନ୍ତ୍ରୀ ସେନ୍ଥିଲ ବାଲାଜୀଙ୍କୁ ଗିରଫ କଲା ଇଡି

ଚେନ୍ନାଇ: ମନି ଲଣ୍ଡରିଂ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତାମିଲନାଡୁର ଶକ୍ତି ମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ଗିରଫ କରିଛି ।

ଇଡି ଅଧିକାରୀଙ୍କ ଦ୍ୱାରା ଗିରଫ ବେଳେ ଶକ୍ତି ମନ୍ତ୍ରୀ ବାଲାଜୀ କାନ୍ଦି ପକାଇଥିଲେ । ଅଧିକାରୀମାନେ ପଚରାଉଚରା କରିବା ପୂର୍ବରୁ ତାଙ୍କୁ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଡାକ୍ତରଖାନା ନେଇଥିଲେ।

ସୂଚନାଯୋଗ୍ୟ ଯେ ମନି ଲଣ୍ଡରିଂ ମାମଲାରେ ସେନ୍ଥିଲ ବାଲାଜୀଙ୍କ ବାସଭବନ ଏବଂ ରାଜ୍ୟ ସଚିବାଳୟରେ ଥିବା ତାଙ୍କ କାର୍ଯ୍ୟାଳୟରେ ଇଡି ଦିନସାରା ତଲାସି କରିବା ପରେ ତାଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଗିରଫ କରିଥିଲା । ଏହାଛଡ଼ା ତାଙ୍କ ଭାଇ ଓ କରୁରର ଜଣେ ଘନିଷ୍ଠ ସହଯୋଗୀଙ୍କ ଘରେ ମଧ୍ୟ ଚଢ଼ାଉ କରିଛି ଇଡି।

ଡିଏମକେ ରାଜ୍ୟସଭା ସାଂସଦ ଏନଆର ଏଲାଙ୍ଗୋ ଗଣମାଧ୍ୟମକୁ କହିଛନ୍ତି ଯେ ତାମିଲନାଡୁର ଶକ୍ତିମନ୍ତ୍ରୀ ଭି ସେନ୍ଥିଲ ବାଲାଜୀଙ୍କୁ ମଙ୍ଗଳବାର ସକାଳ ୭ଟାରୁ ଗୃହବନ୍ଦୀ କରାଯାଇଥିଲା। ଗତକାଲି ସକାଳ ଠାରୁ ରାତି ୨.୩୦ ପର୍ଯ୍ୟନ୍ତ ତାଙ୍କୁ କୌଣସି ବନ୍ଧୁ, ସମ୍ପର୍କୀୟ ଏବଂ ତାଙ୍କ ଓକିଲଙ୍କୁ ଭେଟିବାକୁ ଦିଆଯାଇନଥିଲା।

ସେ ଆହୁରି ମଧ୍ୟ କହିଛନ୍ତି ଯେ ସେନ୍ଥିଲଙ୍କୁ ହଠାତ୍ ରାତି ୨ଟାରେ ଉଠାଇ ଓମାନନ୍ଦୁର ସରକାରୀ ଡାକ୍ତରଖାନାକୁ ଅଣାଯାଇଥିଲା। ଏଥିରୁ ଜଣାପଡୁଛି ଯେ ଯେତେବେଳେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ସେତେବେଳେ ସେ ସଚେତ ନଥିଲେ। ଚିକିତ୍ସା ଅବସ୍ଥାର ପ୍ରକୃତ ବିବରଣୀ ଆମେ ଜାଣିନାହୁଁ । କିନ୍ତୁ ତାଙ୍କୁ ଯେଉଁଭଳି ଗିରଫ କରାଯାଇଛି ତାହା ସମ୍ପୂର୍ଣ୍ଣ ବେଆଇନ ଏବଂ ଅସାମ୍ବିଧାନିକ । କାରଣ ଗିରଫଦାରୀ ବିଷୟରେ ତାଙ୍କୁ କିମ୍ବା ତାଙ୍କ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କୁ ଅବଗତ କରାଯାଇ ନାହିଁ। ଆମେ ଏହା ବିରୋଧରେ ଆଇନଗତ ଲଢ଼େଇ କରିବୁ |

ଅନ୍ୟପକ୍ଷରେ ରାଜ୍ୟର ଶକ୍ତିମନ୍ତ୍ରୀଙ୍କ ବିରୋଧରେ ଇଡି ଆକ୍ସନ ନେଇ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ କେନ୍ଦ୍ରକୁ ସମାଲୋଚନା କରିଛନ୍ତି । ବିଜେପି ଆକ୍ରୋଶମୂଳକ ରାଜନୀତି କରୁଛି ବୋଲି ସେ ଅଭିଯୋଗ କରିଛନ୍ତି । ତାମିଲନାଡ଼ୁ ଶକ୍ତିମନ୍ତ୍ରୀଙ୍କ ଉପରେ ଇଡି କାର୍ଯ୍ୟାନୁଷ୍ଠାନକୁ ଅରବିନ୍ଦ କେଜ୍ରିୱାଲ, କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ଆରଜେଡି ଅଧ୍ୟକ୍ଷ ଲାଲୁ ପ୍ରସାଦ ଯାଦବ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ନିନ୍ଦା କରିଛନ୍ତିି।