ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ବିବାଦ ଥମିବାର ନାଁ ଧରୁନି । ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ପକ୍ଷରୁ ଆଜି ହାଇଦ୍ରାବାଦ, ବେଙ୍ଗାଲୁରୁ ଏବଂ ଚେନ୍ନାଇ ସମେତ ଦେଶର ୪୦ଟି ସ୍ଥାନରେ ଚଢ଼ାଉ ହୋଇଛି । ତଥାକଥିତ ଅବକାରୀ ଦୁର୍ନୀତି ନେଇ ବିଜେପି ଦ୍ବିତୀୟ ‘ଷ୍ଟିଙ୍ଗ୍’ ଭିଡିଓ ଜାରି କରିବାର ଦିନକ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଉକ୍ତ ‘ଷ୍ଟିଙ୍ଗ୍’ ଭିଡିଓରେ ଦାବି କରାଯାଇଛି ଯେ ମଦ ବ୍ୟବସାୟୀମାନେ ଆମ୍ ଆଦମୀ ପାର୍ଟିକୁ ୧୦୦ କୋଟିରୁ ଅଧିକ ଟଙ୍କା ଦେଇଥିଲେ ଯାହା ଦଳ ଗୋଆ ଓ ପଞ୍ଜାବରେ ନିର୍ବାଚନ ପାଇଁ ଖର୍ଚ୍ଚ କରିଥିଲା ।
ଭାରତୀୟ ଜନତା ପାର୍ଟି (ବିଜେପି) ଗୁରୁବାର ଅଭିଯୋଗ କରିଥିଲା ଯେ କିଛି ଲୋକଙ୍କ ଫାଇଦା ଉଦ୍ଦେଶ୍ୟରେ ଆମ୍ ଆଦମୀ ପାର୍ଟି (ଆପ୍) ସରକାର ଦିଲ୍ଲୀରେ ଏକ ନୂଆ ଅବକାରୀ ନୀତି ଆଣିଥିଲେ । ଏହି ଘୋଟାଲାରୁ ଆଦାୟ ଅର୍ଥକୁ ପଞ୍ଜାବର ବିଧାନସଭା ନିର୍ବାଚନରେ ବ୍ୟବହାର କରାଯାଇଥିଲା। ଗୋଆ ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଜାତୀୟ ମୁଖପାତ୍ର ସୁଧାଂଶୁ ତ୍ରିବେଦୀ କହିଥିଲେ ଯେ ମଦ ଦୁର୍ନୀତିର ଅନ୍ୟତମ ଅଭିଯୁକ୍ତ ଅମିତ ଆରୋରାଙ୍କ ଆପ୍ ସରକାରର ମୁଖା ଖୋଲିଦେଇଛନ୍ତି ।
ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅବକାରୀ ଦୁର୍ନୀତି ନେଇ ବିଜେପିର ନୂଆ ଷ୍ଟିଙ୍ଗ ଅପରେସନକୁ ଚ୍ୟାଲେଞ୍ଜ କରିଛନ୍ତି । ଯଦି ଏହି ଷ୍ଟିଙ୍ଗ୍ ଅପରେସନ ସତ, ତେବେ ସିବିଆଇ ତାଙ୍କୁ ଗିରଫ କରୁ ବୋଲି ସେ କେନ୍ଦ୍ରକୁ ଖୋଲା ଆହ୍ବାନ ଦେଇଥିଲେ ।