'ବାଇଜୁସ୍' ମାଲିକଙ୍କ ଘର ଓ ଅଫିସରେ ଇଡି ଚଢ଼ାଉ, ଆପତ୍ତିଜନକ ଦସ୍ତାବିଜ୍ ଜବତ | News Room Odisha

‘ବାଇଜୁସ୍’ ମାଲିକଙ୍କ ଘର ଓ ଅଫିସରେ ଇଡି ଚଢ଼ାଉ, ଆପତ୍ତିଜନକ ଦସ୍ତାବିଜ୍ ଜବତ

ବେଙ୍ଗାଲୁରୁ: ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏଡଟେକ୍ କମ୍ପାନୀ ‘ବାଇଜୁସ୍’ର ପ୍ରତିଷ୍ଠାତା ତଥା ସିଇଓ ରବିନ୍ଦ୍ରନ ବାଇଜୁସଙ୍କ ବେଙ୍ଗାଲୁରୁ ସ୍ଥିତ ଘର ଓ ଅଫିସ୍ ସହ ତିନୋଟି ସ୍ଥାନରେ ରେଡ୍ କରିଛି । ବିଦେଶୀ ମୁଦ୍ରା ବିନିମୟ ପରିଚାଳନା ଆଇନ (ଫେମା) ଉଲ୍ଲଂଘନ ଅଭିଯୋଗରେ ଇଡି ଏହି ଆକ୍ସନ୍ ନେଇଛି | ରବିନ୍ଦ୍ରନ ବାଇଜୁସ ଏବଂ ତାଙ୍କ କମ୍ପାନୀ ଥିଙ୍କ୍ ଆଣ୍ଡ୍ ଲର୍ଣ୍ଣ ପ୍ରାଇଭେଟ ଲିମିଟେଡ୍ ପରିସରରେ ଏହି ଚଢାଉ ଚାଲିଛି।

ଏଜେନ୍ସିର ସୂଚନା ମୁତାବକ ତଲାସି ସମୟରେ ଅଧିକାରୀମାନେ ଆପତ୍ତିଜନକ ଦସ୍ତାବିଜ ଏବଂ ଡିଜିଟାଲ ଡାଟା ଜବତ କରିଛନ୍ତି। କମ୍ପାନୀ ୨୦୧୧ ରୁ ୨୦୨୩ ମଧ୍ୟରେ ୨୮,୦୦୦ କୋଟି ଟଙ୍କା ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ (ଏଫଡିଆଇ) ପାଇଛି। ଏହାଛଡ଼ା କମ୍ପାନୀ ବିଭିନ୍ନ ଦେଶକୁ ଏଫଡିଆଇ ନାମରେ ଟଙ୍କା ପଠାଇଛି।

ଇଡି ସୂଚନା ଅନୁଯାୟୀ, ‘ବାଇଜୁସ୍’ ନାମରେ ଏକ ଏଡଟେକ୍ ପ୍ଲାଟଫର୍ମ ଚଳାଉଥିବା ଥିଙ୍କ ଆଣ୍ଡ ଲର୍ଣ୍ଣ ପ୍ରାଇଭେଟ୍ ଲିମିଟେଡ୍ ବିଜ୍ଞାପନ ଏବଂ ମାର୍କେଟିଂ ନାମରେ ପ୍ରାୟ ୯୪୪ କୋଟି ଟଙ୍କା ଖର୍ଚ୍ଚ କରିଛି। ଏହାଛଡ଼ା କମ୍ପାନୀ ୨୦୨୦-୨୧ ଆର୍ଥିକ ବର୍ଷର ଫାଇନାନ୍ସିଆଲ୍ ଷ୍ଟେଟମେଣ୍ଟ ପ୍ରସ୍ତୁତ କରି ନାହିଁ ଏବଂ ଆକାଉଣ୍ଟଗୁଡିକ ଅଡିଟ୍ ହୋଇନାହିଁ | ସେଥିପାଇଁ ଏହାର ଅନୁସନ୍ଧାନ କରାଯାଉଛି ।

‘ବାଇଜୁସ୍’ ମାଲିକ ରବିନ୍ଦ୍ରନଙ୍କୁ ଅନେକ ଥର ସମନ ଜାରି ହୋଇଛି । କିନ୍ତୁ ସେ ଇଡିରୁ କେବେ ବି ଇଡି ଆଗରେ ହାଜର ହୋଇନାହାଁନ୍ତି । ‘ବାଇଜୁସ୍’ ଗତ ଫେବୃୟାରୀରେ ୧୫୦୦ କର୍ମଚାରୀଙ୍କୁ ଛଟେଇ କରିଥିଲା ।