ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ଇଡିର ପୁଣି ସମନ | News Room Odisha

ନ୍ୟାସନାଲ ହେରାଲ୍ଡ ମାମଲା: ସୋନିଆ ଗାନ୍ଧୀଙ୍କୁ ଇଡିର ପୁଣି ସମନ

ନୂଆଦିଲ୍ଲୀ: ‘ନ୍ୟାସନାଲ ହେରାଲ୍ଡ’ ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଦ୍ବିତୀୟ ଥର ସମନ ଜାରି କରିଛି। ତାଙ୍କୁ ଜୁନ୍ ୨୩ରେ ଏଜେନ୍ସି ସମ୍ମୁଖରେ ହାଜର ହେବାକୁ କୁହାଯାଇଛି। ସୋନିଆଙ୍କୁ ପ୍ରଥମେ ଜୁନ ୮ରେ ହାଜର ହେବାକୁ ଇଡି ସମନ କରିଥିଲା । ହେଲେ ସେ କରୋନା ଆକ୍ରାନ୍ତ ହେବାରୁ ଇଡିରୁ ସମୟ ମାଗିଥିଲେ |

ଅର୍ଥ ହେରଫେର ଅଭିଯୋଗରେ ଜୁନ୍ ୧୩ରେ ପଚରାଉଚରା ପାଇଁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଇଡି ପକ୍ଷରୁ ଡକାଯାଇଥିଲା । ଇଡି ପୂର୍ବରୁ ରାହୁଲ ଗାନ୍ଧୀଙ୍କୁ ଜୁନ୍ ୨ ରେ ହାଜର ହେବାକୁ କହିଥିଲେ, କିନ୍ତୁ ସେ ବିଦେଶରେ ଥିବା ଯୋଗୁଁ ଅଧିକ ସମୟ ମାଗିଥିଲେ।

କଂଗ୍ରେସ ସମର୍ଥିତ ‘ୟଙ୍ଗ ଇଣ୍ଡିଆନ୍’ରେ ଆର୍ଥିକ ଅନିୟମିତତା ଘଟଣାର ତଦନ୍ତ ସହ ଏହି ମାମଲା ଜଡିତ। ‘ନ୍ୟାସନାଲ୍ ହେରାଲ୍ଡ’ ଆସୋସିଏଟେଡ୍ ଜର୍ଣ୍ଣାଲ୍ ଲିମିଟେଡ୍ (ଏଜେଏଲ୍) ଦ୍ୱାରା ପ୍ରକାଶିତ ଏବଂ ଏହାର ସ୍ବତ୍ବାଧିକାର ୟଙ୍ଗ ଇଣ୍ଡିଆନ୍ ପ୍ରାଇଭେଟ ଲିମିଟେଡ୍ ର ପାଖରେ ଅଛି | ଇଡି ଅଧିକାରୀ କହିଛନ୍ତି ଯେ ମନି ଲଣ୍ଡରିଂ ଆକ୍ଟ (ପିଏମ୍ଏଲ୍ଏ) ର ଅପରାଧିକ ବିଭାଗ ଅଧୀନରେ ସୋନିଆ ଗାନ୍ଧୀ ଏବଂ ରାହୁଲ ଗାନ୍ଧୀଙ୍କ ବୟାନ ରେକର୍ଡ କରାଯିବ ।