କୋଇଲା ଦୁର୍ନୀତି: ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ଇଡିର ସମନ | News Room Odisha

କୋଇଲା ଦୁର୍ନୀତି: ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କୁ ଇଡିର ସମନ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ କୋଇଲା ଦୁର୍ନୀତି ମାମଲା ସହ ଜଡିତ ଅର୍ଥ ହେରଫେର ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ ରୁଜିରା ବାନାର୍ଜୀଙ୍କୁ ସମନ ଜାରି କରିଛି। ଆସନ୍ତା କାଲି ହାଜର ହେବାକୁ ଏଜେନ୍ସି ରୁଜିରାଙ୍କୁ କହିଛି।

ଗତ ସପ୍ତାହ ଅର୍ଥାତ୍ ମାର୍ଚ୍ଚ ୨୨ରେ ରୁଜିରା ବାନାର୍ଜୀଙ୍କୁ ପଚରାଉଚରା ପାଇଁ ଇଡି ଡାକିଥିଲା । କିନ୍ତୁ ସେ ହାଜର ହୋଇନଥିଲେ। ତୃଣମୂଳ କଂଗ୍ରେସ ସାଂସଦ ଅଭିଷେକ ବାନାର୍ଜୀ ଏବଂ ତାଙ୍କ ପତ୍ନୀଙ୍କୁ ଦିଲ୍ଲୀ ହାଇକୋର୍ଟରୁ କୌଣସି ପ୍ରକାରର ଆଶ୍ବସ୍ତି ନ ମିଳିବା ପରେ ରୁଜିରା ବାନାର୍ଜୀଙ୍କୁ ଇଡି ସମନ‌ ଜାରି କରିଥିଲା । ଆଜି (ମାର୍ଚ୍ଚ ୨୯) ହାଜର ହେବାକୁ ଅଭିଷେକ ବାନାର୍ଜୀଙ୍କୁ ଇଡି ଡକାଇଥିଲା, କିନ୍ତୁ ସେ ଆଜି ହାଜର ହୋଇନାହାଁନ୍ତି।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ଅଭିଷେକ ବାନାର୍ଜୀଙ୍କୁ ମାର୍ଚ୍ଚ ୨୧ରେ ଦିଲ୍ଲୀର ଇଡି ଅଧିକାରୀମାନେ ପଚରାଉଚରା କରିଥିଲେ। ଏହି ମାମଲାରେ ତାଙ୍କୁ ଦ୍ୱିତୀୟ ଥର ପଚରାଉଚରା କରାଯାଇଥିଲା। ଗତ ବର୍ଷ ସେପ୍ଟେମ୍ବରରେ ଇଡି ତାଙ୍କୁ ପ୍ରଥମେ ଜେରା କରିଥିଲା। ଇଡି ଅଧିକାରୀ କହିଛନ୍ତି ଯେ ଏହି ମାମଲାରେ ଅନ୍ୟ ଅଭିଯୁକ୍ତଙ୍କ ସହ ବାନାର୍ଜୀଙ୍କ ଲିଙ୍କ୍ ଯାଞ୍ଚ କରାଯାଉଛି।

ଗତ ସପ୍ତାହରେ ଇଡି କାର୍ଯ୍ୟାଳୟ ଛାଡିବାବେଳେ ଅଭିଷେକ ବାନାର୍ଜୀ କହିଥିଲେ ଯେ ସେ ଜଣେ ଆଇନ ପାଳନକାରୀ ନାଗରିକ । ତେଣୁ ସେ ଏହି ମାମଲାର ତଦନ୍ତରେ ସହଯୋଗ କରିଥିଲେ। ବିରୋଧୀ ଦଳ ନେତାଙ୍କୁ ଭୟଭୀତ କରିବା ପାଇଁ ବିଜେପି ଇଡି, ସିବିଆଇ ଏବଂ ଆୟକର ବିଭାଗର ଅପବ୍ୟବହାର କରୁଛି ବୋଲି ସେ ଅଭିଯୋଗ କରିଥିଲେ ।