ସମନ ସତ୍ତ୍ୱେ ହାଜର ହେଉନଥିବାରୁ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡି  | News Room Odisha

ସମନ ସତ୍ତ୍ୱେ ହାଜର ହେଉନଥିବାରୁ କେଜ୍ରିୱାଲଙ୍କ ବିରୋଧରେ କୋର୍ଟ ଗଲା ଇଡି 

ନୂଆଦିଲ୍ଲୀ: ଅବକାରୀ ନୀତି ମାମଲାରେ ୫ ଥର ସମନ ସତ୍ତ୍ୱେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ହାଜର ହେଉନଥିବାରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶେଷରେ ତାଙ୍କ ବିରୋଧରେ କୋର୍ଟ ଯାଇଛି । କେଜ୍ରିୱାଲଙ୍କ ବିରୋଧରେ ଇଡିର ପିଟିସନ ମୁଖ୍ୟ ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ଦିବ୍ୟା ମଲହୋତ୍ରାଙ୍କ ନିକଟରେ ଦାୟର କରାଯାଇଛି ।‌ ଫେବୃଆରୀ ୭ରେ ଏହି ମାମଲାର ଶୁଣାଣି ହେବ ।
ଅବକାରୀ ଦୁର୍ନୀତି ମାମଲାରେ ଜେରା ପାଇଁ ଇଡି ଏଯାବତ୍ କେଜ୍ରିୱାଲଙ୍କୁ ୫ ଥର ସମନ ଜାରି କରିସାରିଛି ।‌ କିନ୍ତୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଥରେ ବି ଏହି କେନ୍ଦ୍ରୀୟ ସଂସ୍ଥା ସମ୍ମୁଖରେ ହାଜର ହୋଇନାହାଁନ୍ତି । ଅରବିନ୍ଦ କେଜ୍ରିୱାଲ ଶୁକ୍ରବାର ଇଡିର‌ ପଞ୍ଚମ ସମନକୁ ବି ଏଡ଼ାଇ ଦେଇଥିଲେ । କେଜ୍ରିୱାଲ ତାଙ୍କ ବିରୋଧରେ ଇଡି ସମନକୁ ବେଆଇନ ବୋଲି କହି ଆସୁଛନ୍ତି।  ତାଙ୍କୁ ଗିରଫ କରି ଦିଲ୍ଲୀରେ ତାଙ୍କ ସରକାର ଭାଙ୍ଗିବାକୁ ଇଡି ସମନ‌ କେନ୍ଦ୍ରର ବିଜେପି ସରକାରଙ୍କ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଛନ୍ତି କେଜ୍ରିୱାଲ ।