ଛତିଶଗଡ: କଂଗ୍ରେସ ନେତାଙ୍କ ଘରେ ଇଡି ଚଢାଉ | News Room Odisha

ଛତିଶଗଡ: କଂଗ୍ରେସ ନେତାଙ୍କ ଘରେ ଇଡି ଚଢାଉ

ରାୟପୁର: କୋଇଲା ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ସୋମବାର ଛତିଶଗଡର ୧୪ଟି ସ୍ଥାନରେ ଚଢାଉ କରିଛି। ଏହି ମାମଲାରେ ସମ୍ପୃକ୍ତ କିଛି କଂଗ୍ରେସ ନେତାଙ୍କ ଉପରେ ମଧ୍ୟ ରେଡ୍ ହୋଇଛି । ସୂଚନାନୁସାରେ, ରାଜ୍ୟ କଂଗ୍ରେସ ଦଳର କୋଷାଧ୍ୟକ୍ଷ ରାମ ଗୋପାଳ ଅଗ୍ରୱାଲ, ମୁଖପାତ୍ର ଆରପି ସିଂହ, ଶ୍ରମ କଲ୍ୟାଣ ବୋର୍ଡ ସଭାପତି ସୁଶୀଲ ସନ୍ନି ଅଗ୍ରୱାଲ ଏବଂ ଅନ୍ୟାନ୍ୟ ନେତାଙ୍କ ଘର ଓ ଅଫିସରେ ଇଡି ଚଢାଉ ଜାରି ରହିଛି।

ଇଡି ସୂଚନା ଅନୁଯାୟୀ କୋଇଲା ଟନ୍ ପିଛା ୨୫ ଟଙ୍କା ଆଦାୟ କରାଯାଉଥିଲା। ଗତ ବର୍ଷ ଆଇଏସ୍ ଅଧିକାରୀ ସୌମ୍ୟା ଚୌରାସିଆ, ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲଙ୍କ ଘନିଷ୍ଠ ସହଯୋଗୀ ସମୀର ବିଷ୍ଣୁ, ରାଜ୍ୟର ଆଇଏଏସ୍ ଅଧିକାରୀ ତଥା କିଛି ବ୍ୟବସାୟୀଙ୍କୁ ଏହି ମାମଲାରେ ଗିରଫ କରାଯାଇଥିଲା। ନିକଟରେ ଖଣି ଅଧିକାରୀ ଶିବ ଶଙ୍କର ନାଗ ଏବଂ ସନ୍ଦୀପ କୁମାରଙ୍କୁ ମଧ୍ୟ ଏହି ମାମଲାରେ ଗିରଫ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ମୋଟ ୯ ଜଣଙ୍କୁ ଗିରଫ କରାଯାଇଛି।

ବେଆଇନ ଖଣି ଖନନ ମାମଲାରେ ଗତ ୨ ବର୍ଷ ମଧ୍ୟରେ ୫୪୦ କୋଟି ଟଙ୍କା ଦୁର୍ନୀତି ହୋଇଥବା ଅଭିଯୋଗ ହୋଇଛି । ଏପର୍ଯ୍ୟନ୍ତ ଇଡି ଅଭିଯୁକ୍ତଙ୍କ ୧୫୨ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି।