ଲ୍ୟାଣ୍ଡ୍ ଫର୍ ଜବ୍ ମାମଲାରେ ଇଡିର ଆକ୍ସନ, ଲାଲୁ ପ୍ରସାଦ ଓ ପରିବାରର ୬ କୋଟି ମୂଲ୍ୟର ସମ୍ପତ୍ତି ଜବତ | News Room Odisha

ଲ୍ୟାଣ୍ଡ୍ ଫର୍ ଜବ୍ ମାମଲାରେ ଇଡିର ଆକ୍ସନ, ଲାଲୁ ପ୍ରସାଦ ଓ ପରିବାରର ୬ କୋଟି ମୂଲ୍ୟର ସମ୍ପତ୍ତି ଜବତ

ନୂଆଦିଲ୍ଲୀ: ଲ୍ୟାଣ୍ଡ୍ ଫର୍ ଜବ୍ କେସରେ ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଲାଲୁ ପରିବାରର ୬ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଜବତ କରିଛି। ଏହି ମାମଲାରେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ ଏବଂ ତାଙ୍କ ପରିବାର ବିରୋଧରେ ତଦନ୍ତ ଚାଲିଛି। ଏହି ମାମଲାରେ ଲାଲୁ ପରିବାରର ଅନେକ ସଦସ୍ୟଙ୍କୁ ସିବିଆଇ ଟିମ୍ ଜେରା କରିସାରିଛି।

ଏହା ଏକ ରାଜନୈତିକ ଷଡ଼ଯନ୍ତ୍ର ବୋଲି ଲାଲୁଙ୍କ ପରିବାର ଅଭିଯୋଗ କରିଛନ୍ତି । ସିବିଆଇ ଏହି ମାମଲାର ଦୁଇଥର ଯାଞ୍ଚ କରିଥିଲେ ମଧ୍ୟ କୌଣସି ପ୍ରମାଣ ପାଇନାହିଁ। ଏହା ପରେ ସିବିଆଇ ମାମଲା ବନ୍ଦ କରିଦେଇଥିଲା। ଏବେ ପୁଣି ସିବିଆଇ କ’ଣ ଜାଣିବାକୁ ଚାହୁଁଛି ବୋଲି ପ୍ରଶ୍ନ କରିଛି ଲାଲୁଙ୍କ ପରିବାର।

ଉଲ୍ଲେଖଯୋଗ୍ୟ, ‘ଲ୍ୟାଣ୍ଡ ଫର ଜବ୍’ ମାମଲାରେ ସିବିଆଇ ଟିମ୍ ମେ’ରେ ଦେଶର ୯ଟି ସ୍ଥାନରେ ଚଢ଼ାଉ କରିଥିଲା। ସିବିଆଇ ପାଟନା, ଆରା, ଭୋଜପୁର, ଦିଲ୍ଲୀ ଏବଂ ଗୁରୁଗ୍ରାମରେ ଲାଲୁଙ୍କ ସମ୍ପର୍କୀୟଙ୍କ ଠିକଣାରେ ଚଢ଼ାଉ କରିଥିଲା। ବିହାରର ପୂର୍ବତନ ମନ୍ତ୍ରୀ ପ୍ରେମଚାନ୍ଦ ଗୁପ୍ତାଙ୍କ ଘରେ ମଧ୍ୟ ସିବିଆଇ ତଲାସି ନେଇଥିଲା । ଏହାଛଡ଼ା ଆରଜେଡି ସଭାପତି ଲାଲୁ ଯାଦବଙ୍କ ପାଖଲୋକ କୁହାଯାଉଥିବା ବିଧାୟକ କିରଣ ଦେବୀଙ୍କ ପାଟନା ଏବଂ ଆରା ଘର ଉପରେ ସିବିଆଇ ରେଡ୍ କରିଥିଲା।

୨୦୦୪ ରୁ ୨୦୦୯ ମଧ୍ୟରେ ସେ ରେଳ ମନ୍ତ୍ରୀ ଥିବାବେଳେ ଲାଲୁ ପ୍ରସାଦଙ୍କ ପରିବାରକୁ ଉପହାର ସ୍ବରୂପ ଓ କମ୍ ଦରରେ ବିକ୍ରି କରାଯାଇଥିବା ଜମି ବଦଳରେ ଲୋକଙ୍କୁ ରେଳବାଇରେ ନିଯୁକ୍ତି ଦିଆଯାଇଥିଲା । ସିବିଆଇ ଏହାର ଚାର୍ଜସିଟରେ କହିଛି ଯେ ଭାରତୀୟ ରେଳବାଇର ଧାର୍ଯ୍ୟ ନିୟମ ଏବଂ ପ୍ରକ୍ରିୟା ଉଲ୍ଲଂଘନ କରି ରେଳବାଇରେ ନିଯୁକ୍ତି ଦିଆଯାଇଥିଲା।