ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ 'ସାଓମି'ର ୫,୫୫୧ କୋଟିର ପାଣ୍ଠି ଜବତ କଲା ଇଡି | News Room Odisha

ଚାଇନିଜ୍ ସ୍ମାର୍ଟଫୋନ୍ କମ୍ପାନୀ ‘ସାଓମି’ର ୫,୫୫୧ କୋଟିର ପାଣ୍ଠି ଜବତ କଲା ଇଡି

ନୂଆଦିଲ୍ଲୀ: ବୈଦେଶିକ ବିନିମୟ ଆଇନ (ଫରେକ୍ସ) ଉଲ୍ଲଂଘନ ଅଭିଯୋଗରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚୀନର ସ୍ମାର୍ଟଫୋନ୍ ନିର୍ମାତା ‘ସାଓମି’ର ୫,୫୫୧ କୋଟିରୁ ଅଧିକ ମୂଲ୍ୟର ପାଣ୍ଠି ଜବତ କରିଛି।

ସୂଚନା ଅନୁଯାୟୀ, ସାଓମି ଇଣ୍ଡିଆ ଟେକ୍ନୋଲୋଜି ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ବିରୋଧରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି। ଏହାକୁ ସାଓମି ଇଣ୍ଡିଆ ମଧ୍ୟ କୁହାଯାଏ |ଭାରତୀୟ ବଜାରରେ, ସାଓମି ଇଣ୍ଡିଆ ‘ମି’ ବ୍ରାଣ୍ଡ ନାଁରେ ମୋବାଇଲ୍ ଫୋନ୍ ବ୍ୟବସାୟ କରେ |

ଇଡି ଦ୍ବାରା ଜାରି ବିବୃତ୍ତିରେ କୁହାଯାଇଛି ଯେ “ସାଓମି ଇଣ୍ଡିଆ ହେଉଛି ଚୀନ୍ କମ୍ପାନୀ ସାଓମି ଗ୍ରୁପ୍ ର ସମ୍ପୂର୍ଣ୍ଣ ମାଲିକାନା ଥିବା ସହାୟକ କମ୍ପାନୀ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କମ୍ପାନୀର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥିବା ୫,୫୫୧.୨୭ କୋଟି ଟଙ୍କା ଜବତ କରିଛି।”

ଫେବୃଆରୀରେ କମ୍ପାନୀ ବେଆଇନ ଭାବେ ଦେଶ ବାହାରକୁ ଟଙ୍କା ପଠାଇଥିବା ଅଭିଯୋଗ ହୋଇଥିଲା । ଏନେଇ ଇଡି ଦ୍ୱାରା ଯାଞ୍ଚ୍ କରାଯାଇଥିଲା ଏବଂ ଏହା ପରେ ବୈଦେଶିକ ବିନିମୟ ପରିଚାଳନା ଆଇନ (ଫେମା) ର ସମ୍ପୃକ୍ତ ଧାରା ଅନୁଯାୟୀ ସାଓମି ଇଣ୍ଡିଆର ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।

ସାଓମି ୨୦୧୪ରେ ଭାରତରେ ଏହାର ବ୍ୟବସାୟ ଆରମ୍ଭ କରିଥିଲା ​​ଏବଂ ତା’ର ପରବର୍ତ୍ତୀ ବର୍ଷରୁ ବିଦେଶକୁ ଟଙ୍କା ପଠାଇବା ପ୍ରକ୍ରିୟା ଆରମ୍ଭ ହୋଇଥିଲା |

ଇଡି ନିଜର ଏକ ବିବୃତ୍ତିରେ କହିଛି, “ସାଓମି ଇଣ୍ଡିଆ ସାଓମି ଗ୍ରୁପ୍ କମ୍ପାନୀ ସମେତ ତିନୋଟି ବିଦେଶୀ କମ୍ପାନୀକୁ ରୟାଲଟି ନାମରେ ୫,୫୫୧.୨୭ କୋଟି ଟଙ୍କା ବିଦେଶୀ ମୁଦ୍ରା ପଠାଇଛି। ରୟାଲଟି ନାମରେ ଚୀନରେ ଥିବା ପ୍ୟାରେଣ୍ଟ କମ୍ପାନୀର ନିର୍ଦ୍ଦେଶରେ ଏତେ ପରିମାଣର ଅର୍ଥ ବାହାରକୁ ପଠାଯାଇଥିଲା।”

ଦୁଇଟି ଆମେରିକୀୟ କମ୍ପାନୀ ମଧ୍ୟ ସାଓମି ଇଣ୍ଡିଆରୁ ଟଙ୍କା ପାଇଛନ୍ତି ଯାହାର ଏହି ସ୍ମାର୍ଟଫୋନ କମ୍ପାନୀ ସହିତ କୌଣସି ସିଧାସଳଖ ସମ୍ପର୍କ ନାହିଁ |